
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ଥାନା ନିକଟ ବିଜୁ ଏକ୍ସପ୍ରେସୱେରେ ଗତକାଲି ଏକ ଅଜଣା ଟ୍ରକ୍ ବାଇକ୍କୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ମାଧବ ମାଝୀ (୪୦), ଗୋଲାମୁଣ୍ଡା ଗ୍ରାମର ବାସିନ୍ଦା, ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମାଧବ ମାଝୀ ଗୋଲାମୁଣ୍ଡା ଥାନାରୁ କାମ ସାରି ନିଜ ବାଇକ୍ (ଓଡି ୨୬ ୪୦୭୧) ଯୋଗେ ଘରକୁ ଫେରୁଥିବା ବେଳେ ଧର୍ମଗଡ଼ ପଟୁ ଆସୁଥିବା ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ଆହତ ମାଧବଙ୍କୁ ଅଗ୍ନିଶମ ବାହିନୀ ଗୋଲାମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ କ୍ଷୋଭିତ ଗ୍ରାମବାସୀ ଓ ପରିବାର ଲୋକେ ଟ୍ରକ୍ ଚିହ୍ନଟ ଓ କ୍ଷତିପୂରଣ ଦାବି କରି ଧର୍ମଗଡ଼-ସିନାପାଲି ବିଜୁ ଏକ୍ସପ୍ରେସୱେକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ