
କଳାହାଣ୍ଡି (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ୱାମନ ମେଶ୍ରାମଙ୍କ ନେତୃତ୍ୱରେ ବହୁଜନ ସମାଜର ସାମ୍ବିଧାନିକ ଅଧିକାର ହାସଲ ପାଇଁ ଆରମ୍ଭ ହୋଇଥିବା ଚାରି ଚରଣ ଆନ୍ଦୋଳନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶବ୍ୟାପୀ ‘ଜେଲ୍ ଭରୋ’ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନକୁ କଳାହାଣ୍ଡି ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲା ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୮ ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଗଣଧାରଣା ଓ ‘ଜେଲ୍ ଭରୋ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ମାଧବ ସୁନାନୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମଳୀନି ଯାଦବ ରାଷ୍ଟ୍ରୀୟ ଅଧ୍ୟକ୍ଷା ରାଷ୍ଟ୍ରୀୟ ମହିଳା ଯୁବା ପ୍ରକୋଷ୍ଠ ନୂଆଦିଲ୍ଲୀ, ଠାକୁର ମଙ୍ଗରାଜ ରାଷ୍ଟ୍ରୀୟ ପ୍ରଭାରୀ ମହିମା ଧମ୍ମ ସଂଘ ନୂଆଦିଲ୍ଲୀ, ଡମ୍ବରୁଧର ମାଝୀ ରାଜ୍ୟ ସଭାପତି ଆରଏମବିକେଏସ ଓଡ଼ିଶା, ଲବ କରୁଆ ରାଜ୍ୟ ଉପସଭାପତି ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା, ଦୁର୍ଯ୍ୟୋଧନ ଜାଲ ରାଜ୍ୟ ସଭାପତି କୃଷକ ମୋର୍ଚ୍ଚା ଓଡ଼ିଶା, ମହେନ୍ଦ୍ର ଧଙ୍ଗଡା ମାଝୀ ରାଜ୍ୟ ମହାସଚିବ ବହୁଜନ ମୁକ୍ତି ପାର୍ଟି ଓଡିଶା, ଜଗଦିଶ ଯାଦବ ଜିଲ୍ଲା ସଭାପତି ସମାଜବାଦୀ ପାର୍ଟି କଳାହାଣ୍ଡି, ସଂଜୟ ଶବର ଜିଲ୍ଲା ସଭାପତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କଳାହାଣ୍ଡି, ଖିରସିନ୍ଧୁ ବୋଡକିଆ ଜିଲ୍ଲା ସଭାପତି ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି, କୁଶ ଶବର କାର୍ଯ୍ୟକାରୀ ସଭାପତି ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି, ଆଦିତ୍ୟ ହଂସ ଯାଦବ ଉପସଭାପତି ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି, ଗୋପାଳ ଧଙ୍ଗଡା ମାଝୀ ଉପସଭାପତି ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଦୋଳନରେ ୧୮ଟି ଦାବି ଉପସ୍ଥାପନ କରାଯାଇଥିଲା, ଯାହା ମଧ୍ୟରୁ ନିର୍ବାଚନରେ ଇଭିଏମ୍ ବଦଳରେ ବାଲାଟ୍ ପେପର୍ ପ୍ରଚଳନ, ଓବିସି ସମେତ ସମସ୍ତ ଜାତିର ଜନଗଣନା, ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ମୁସଲିମ ସମ୍ପ୍ରଦାୟଙ୍କ ପ୍ରତି ମବ୍ ଲିଞ୍ଚିଂ ବନ୍ଦ, ଏସସି ଏସଟି ଓବିସି କର୍ମଚାରୀଙ୍କ ପାଇଁ ତୁରନ୍ତ ପଦୋନ୍ନତିରେ ସଂରକ୍ଷଣ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ବନ୍ଦ କରି ଶିକ୍ଷିତ ଯୁବକଙ୍କୁ ଚାକିରୀ, ୨୦୨୦ ଶିକ୍ଷା ନୀତି ଅନୁଯାୟୀ ବିଦ୍ୟାଳୟ ମର୍ଜିଂ ଓ ଘରୋଇକରଣ ବନ୍ଦ, ଓଡିଶାରେ ଏମବିବିଏସ, ନର୍ସିଂ, ବି.ଫାର୍ମ ଆଦିରେ ଏସସି ଏସଟି ଓବିସି ପାଇଁ ନିର୍ଦ୍ଦିଷ୍ଟ ସଂରକ୍ଷଣ, ୨୦୦୬ ଜଙ୍ଗଲ ଜମି ଆଇନ୍ ଅନୁଯାୟୀ ଆଦିବାସୀଙ୍କୁ ପଟ୍ଟା ପ୍ରଦାନ,ବଳାତ୍କାର, ହତ୍ୟା ଓ ନିର୍ଯାତନା ବିରୋଧ,ଚୁକ୍ତିଭିତ୍ତିକ ଓ ଠିକା ନିଯୁକ୍ତି ବନ୍ଦ, ପ୍ରମୂଖ ଦାବି ରହିଛି। ଏହି ଆନ୍ଦୋଳନ ମାଧ୍ୟମରେ ଭାରତ ମୁକ୍ତି ମୋର୍ଚ୍ଚା ସରକାରଙ୍କୁ ବହୁଜନ ସମାଜର ଅଧିକାର ଓ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି। କାର୍ଯ୍ୟକ୍ରମରେ ସଂଗଠନର ଶତାଧିକ କର୍ମକର୍ତ୍ତା ଓ ସମର୍ଥକ ଅଂଶଗ୍ରହଣ କରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ନିଜର ପ୍ରତିବାଦ ଜଣାଇଥିଲେ।