
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବଡ଼ଘୁମେର ଗାଁରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଇଚ୍ଛାପୁର, ଖୁଟୁଲୁଗୁଡା ଏବଂ ଦେଇବଡ଼ଘୁମେରରୁ ଆସୁଥିବା ଜୈର ମୁଣ୍ଡା ଜୋରରେ ପ୍ରବଳ ବର୍ଷାଜଳ ପ୍ରବାହିତ ହୋଇଛି। ଫଳରେ ଦୁଇଟି ସ୍ଥାନରେ ଜୋରର ହୁଡ଼ା ଭାଙ୍ଗି ଯାଇଥିବାରୁ ଧାନ ଚାଷ ବ୍ୟାପକ ଭାବେ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି। ଚାଷଜମିରେ ଅମଳ ଅପେକ୍ଷାରେ ଥିବା ଫସଲ ସମସ୍ତ ପାଣିରେ ବୁଡ଼ି ଯାଇଥିବାରୁ ଚାଷୀମାନେ ଏବେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଏହି ଜୋର ତିନି ଥର ଭାଙ୍ଗି ବ୍ୟାପକ ଫସଲ ନଷ୍ଟ କରିଥିଲା। ଚାଷୀମାନେ ନିଜସ୍ୱ ପାଣ୍ଠିରୁ ମରାମତି କରି ଏହାକୁ ସଂରକ୍ଷଣ କରିଥିଲେ। ଚଳିତ ଲଗାଣ ବର୍ଷାରେ ଚାଷୀ ତ୍ରିଭୁବନ ଝଙ୍କାର ଏବଂ ପୂର୍ଣ୍ଣ ଝଙ୍କାରଙ୍କର ସମ୍ପୂର୍ଣ୍ଣ ଧାନ ଫସଲ ପାଣିରେ ମାଡ଼ି ଯାଇଥିବା ବେଳେ, ଆଂଶିକ ଭାବେ ଅଭିମନ୍ୟୁ ଗୋପାଳ, ପାଣ୍ଡବ ଗୋପାଳ, ଦୁଷ୍ମନ୍ତ ଗୋପାଳ, ବିଶ୍ୱଧର ଗୋପାଳ ଏବଂ ମଧୁସୂଦନ ଗୋପାଳଙ୍କର ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି। ଏହି ଘାଇ ସୃଷ୍ଟି ସ୍ଥାନରେ ଗାର୍ଡ଼ୱାଲ୍ କିମ୍ବା ଚେକ୍ ଡ୍ୟାମ୍ ନିର୍ମାଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏହା ଦ୍ୱାରା ଭବିଷ୍ୟତରେ ଏଭଳି କ୍ଷୟକ୍ଷତିରୁ ରକ୍ଷା ପାଇବା ସମ୍ଭବ ହେବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ