
ଧର୍ମଗଡ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅଧୀନ ସିନାମାଲ ଗ୍ରାମରେ ବେଆଇନ ମଦକୋଠୀ ମାଧ୍ୟମରେ ମଦ ବିକ୍ରି ଯୋଗୁଁ ଗ୍ରାମରେ ବିଶୃଙ୍ଖଳା ଓ ଅସୁରକ୍ଷା ସୃଷ୍ଟି ହେଉଥିବା ଅଭିଯୋଗରେ ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବେଆଇନ ମଦକୋଠୀ ଯୋଗୁଁ ଗ୍ରାମରେ ମଦ୍ୟପମାନଙ୍କ ଦ୍ୱାରା ଅସଭ୍ୟ ଆଚରଣ, କଳିକଜିଆ ଏବଂ ଅଶାନ୍ତି ଲାଗି ରହିଛି। ଏହା ଫଳରେ ମହିଳାମାନେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଗ୍ରାମର ବସ୍ତି ଅଞ୍ଚଳରେ ଏହି ମଦକୋଠୀ ଯୋଗୁଁ ସାମାଜିକ ଶାନ୍ତି ବିଘ୍ନିତ ହେଉଥିବା ମହିଳା ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ଓ ଗ୍ରାମରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମହିଳା ଗୋଷ୍ଠୀ ଦାବି କରିଛନ୍ତି। ଏହି ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳ, ଉପଖଣ୍ଡିୟ ଅବକାରୀ ଅଧିକାରୀ ଏବଂ ଗୋଲାମୁଣ୍ଡା ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନକାରୀଙ୍କ ମଧ୍ୟରେ ବବି ବାଗ, ସୁମିତ୍ରା ବରିଆ, ନମିତ ହାତୀ, ରଜନୀ, ସୁରୁବାଲି ଛତ୍ରିଆ, ରୟାନ୍ତି ବାଗ, ମାଳତୀ ବାଗ, ସବିତା ବାଗ ଏବଂ ନିଲେନ୍ଦ୍ରି ବାଗ ପ୍ରମୁଖ ଅନ୍ତର୍ଭୁକ୍ତ। ସେମାନେ ପ୍ରଶାସନକୁ ବେଆଇନ ମଦକୋଠୀ ଉଚ୍ଛେଦ କରି ଗ୍ରାମରେ ଶାନ୍ତି ଓ ସୁରକ୍ଷା ନିଶ୍ଚିତ କରିବାକୁ ଜୋରଦାର ଅନୁରୋଧ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ