
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଅଣଦେଖା ଯୋଗୁଁ ଗଡ଼ିଆସାହି ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ଜଣାପଡିଛି। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଗଡିଆସାହି ପଞ୍ଚାୟତ ସରପଞ୍ଚ ପ୍ରତିମା ଆଚାର୍ଯ୍ଯ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକର ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଜଣାପଡିଛି।ଗଡ଼ିଆସାହି ଗ୍ରାମରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଗତ ୨୦୨୨ -୨୩ ଆର୍ଥିକ ବର୍ଷରେ ୫ମ ରାଜ୍ଯ କମିଶନ ଅନୁଦାନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଜରିଆରେ ନିର୍ମାଣ ହେବାକୁ ଥିବା ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ସରକାରୀ ଜାଗା ଚିହ୍ନଟ ପରେ ସେଠାରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଶିଳାନ୍ୟାସ ଉତ୍ସବର ୩ ମାସ ପରେ ବି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇନଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଅସହଯୋଗ ଯୋଗୁଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇପାରୁନଥିବା ଗଡ଼ିଆସାହି ପଞ୍ଚାୟତବାସୀ ଅଭିଯୋଗ କରିଥିବା ବେଳେ ଏ ବାବଦ ଅନୁଦାନ ଅର୍ଥ ବିନିଯୋଗ ହୋଇ ନପାରି ଖଣ୍ଡପଡ଼ା ବ୍ଲକ ଆକାଉଣ୍ଟରେ ପଡିରହିଛି।ଏଥିପ୍ରତି ନୟାଗଡ ଜିଲ୍ଲାପାଳ,ଗ୍ରାମ୍ଯ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ