
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ପ୍ରଭୁ ବୁଢ଼ାରାଜାଙ୍କ ବାର୍ଷିକ ଦଶହରା ନନ୍ଦଗାଁରେ ମହାଡ଼ମ୍ବରେ ପାଳିତ ହୋଇ ସମ୍ପନ୍ନ ହୋଇଛି। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ତିନି ଦିନ ଧରି ଚାଲିଥିବା ଏହି ପର୍ବ ନନ୍ଦଗାଁ ବୁଢ଼ାରାଜା ପୀଠରେ ପରମ୍ପରା ଅନୁଯାୟୀ ପାଳିତ ହୋଇଛି। କିମ୍ବଦନ୍ତୀ ଅନୁସାରେ, ସହଜ ଖୋଲ ଜଙ୍ଗଲ ପାଦଦେଶରେ ପ୍ରଭୁ ବୁଢ଼ାରାଜାଙ୍କ ଆଜ୍ଞାମାଳ ଆସିବା ପରେ ଏହି ପର୍ବ ଦଶହରା ପୂର୍ଣ୍ଣିମାରେ ପାଳିତ ହେଉଛି। ଏହି ଅବସରରେ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ, ନୃତ୍ୟ ପ୍ରତିଯୋଗିତା ଓ କଳାହାଣ୍ଡିର ବିରବାଜା ଘୁମୁରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ସାଧାରଣ ଲୋକଙ୍କ ମନୋରଞ୍ଜନରେ ଅନନ୍ୟ ଭୂମିକା ନେଇଥିଲା। ଉତ୍ସବରେ ନନ୍ଦଗାଁ ସରପଞ୍ଚ ପ୍ରତିନିଧି ତଥା ପଣ୍ଡରା ମାଳି ସମାଜ ଯୁବ ବାହିନୀ ସଭାପତି ଭବାନୀ ବଣିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିରଞ୍ଚି ବଣିଆ, କୃଷି ସମବାୟ ସମିତି ସଭାପତି ଖଗେଶ୍ୱର ବଣିଆ, କାର୍ଯ୍ୟନିର୍ବାହୀ ମନୋଜ କୁମାର ବଣିଆ, ନନ୍ଦଗାଁ ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ଉପେନ୍ଦ୍ର ନାଥ ଦୁର୍ଗା, ପ୍ରଦୀପ ବଣିଆ ଓ ୱାର୍ଡ ମେମ୍ବର କେଶବ ଦୁର୍ଗା ଉପସ୍ଥିତ ଥିଲେ। ପୂଜା କମିଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଧର୍ମଗଡ଼ ପୋଲିସ କର୍ମଚାରୀମାନେ ଟ୍ରାଫିକ ଓ ଭକ୍ତଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ। ଭକ୍ତମାନେ ଶୃଙ୍ଖଳା ସହ ପ୍ରଭୁ ବୁଢ଼ାରାଜାଙ୍କ ଦର୍ଶନ କରି ତାଙ୍କ କୃପା ଲାଭ କରିଥିଲେ। ଏହି ଯାତ୍ରା ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଲୋକ ସମାଗମ କରିଥିଲେ। ପୂଜା କମିଟି ସଭାପତି, ସମ୍ପାଦକ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ