ଧର୍ମଗଡ଼: ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଛିଲିପା ଗାଁରେ ଗତ ଚାରି ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ତେଲ ନଦୀ କୂଳରେ ଥାଇ ମଧ୍ୟ ଗ୍ରାମବାସୀମାନେ ଏକ ବୁନ୍ଦା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି। ଅବଶେଷରେ ଆଜି ବାଧ୍ୟ ହୋଇ ଗ୍ରାମର ମହିଳା ଓ ପୁରୁଷମାନେ ଗରା-ବାଲଟି ହାତରେ ଧରି ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ ବୁଝାସୁଝା କରିବା ପରେ ଅବରୋଧ ହଟାଇ ଦିଆଯାଇଥିଲା।ସୂଚନା ଅନୁଯାୟୀ, ଗତ ଚାରି ତାରିଖ ରାତିରେ କେତେକ ଦୁର୍ବୃତ୍ତ ତେଲ ନଦୀରୁ ଗାଁକୁ ପାଣି ଯୋଗାଇଥାଏ ଯେଉଁ ପମ୍ପ୍ ହାଉସ୍ର କେବୁଲ୍ ତାର ଚୋରି କରି ନେଇଯାଇଥିଲେ। ଫଳରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଚାରି ଦିନ ବିତିଗଲା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଆଜି ୱାଡ଼ ମେମ୍ବର କ୍ଷୀର ପଟେଲଙ୍କ ନେତୃତ୍ୱରେ କୁମୁଦିନୀ ପଟେଲ, ଗୌରୀମଣି ପଟେଲ, ପୂର୍ଣ୍ଣିମା ପଟେଲ, ଯାଜ୍ଞ ସେନି ପଟେଲ, ଦୁର୍ମିଳା ପଟେଲ, ଟରାଟ ପଟେଲ, କୃମି ସେଠୀ, କୁରୁବା ପଟେଲ, ନିପୁର ପଟେଲ, ସୁବର୍ଣ୍ଣି ପଟେଲ, କୋକେଇ ପଟେଲ, ବସୁମତୀ ପଟେଲ, ସମାଜସେବୀ ସନାତନ ସେଠୀ, ଲକ୍ଷ୍ମୀପତି, ପରମେଶ୍ୱର ପଟେଲ, ଧୋବଳେ ପଟେଲ, ଅଲେଖ ଭୋଇ ଓ ଅନ୍ୟ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ।ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରି ଖୁବ୍ ଶୀଘ୍ର ନୂଆ କେବୁଲ୍ ଲଗାଇ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ତାଙ୍କ ଆଶ୍ୱାସନା ପରେ ଗ୍ରାମବାସୀମାନେ ଅବରୋଧ ହଟାଇ ଦେଇଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

