କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳର ପୋଟେସ ଗ୍ରାମରେ ଗତ ବୁଧବାର ଏକ ଚାଷଜମିରେ ସନ୍ଦେହଜନକ ଅବସ୍ଥାରେ ଅଲେଖ ନିଆଳ (ବୟସ ଆନୁମାନିକ ୫୦) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ହତ୍ୟା ବୋଲି ଦାବି କରି ମୃତକଙ୍କ ପରିବାର ଲୋକେ ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ ପରେ ପୋଟେସ ଛକ ନିକଟରେ ଶବ ରଖି କଲମପୁର-ମୁଖିଗୁଡ଼ା ଓ ଥିଆମୁଲ-ରାମପୁର ରାସ୍ତା ଅବରୋଧ କରିଥିଲେ। ସଠିକ୍ ତଦନ୍ତ ଓ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବି କରି ସମସ୍ତ ଯାନବାହାନ ଅଟକାଇ ପ୍ରତିବାଦ କରାଯାଇଥିଲା।ଖବର ପାଇ କଲମପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବହୁ ବିଳମ୍ବରେ କଲମପୁର ରାଜସ୍ବ ନିରୀକ୍ଷକ ସୁମନ୍ତ ପାତ୍ର ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ତହବିଲରୁ ୨୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ପ୍ରଦାନ କରିବା ସହ ଘଟଣାର ସୁଚିନ୍ତିତ ତଦନ୍ତର ଆଶ୍ଵାସନ ଦେବାରୁ ପ୍ରାୟ ଦୁଇ ଘଣ୍ଟାର ଅବରୋଧ ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା।ପୂର୍ବରୁ ମୃତଦେହ ଉଦ୍ଧାର ପରେ କଲମପୁର ପୋଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିବା ସହ ସାଇନ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ଵାଡ଼ଙ୍କ ସହାୟତାରେ ପ୍ରାଥମିକ ତଦନ୍ତ କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଏବଂ ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ପ୍ରତିବାଦରେ କଲମପୁର ଅନୁସୂଚିତ ଜାତି ବିକାଶ ପରିଷଦ ସଭାପତି ବଳରାମ ଦୁର୍ଗା, ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା ରାଜ୍ୟ ପ୍ରଭାରୀ ମାଧବ ସୁନାନୀ, ଜିଲ୍ଲା ଅନୁସୂଚିତ ଜାତି ବିକାଶ ପରିଷଦ ସମ୍ପାଦକ ଶତ୍ରୁଘ୍ନ ନାୟକ, ଗଣେଶ ନାଗ, ଜଗନ୍ନାଥ ନାୟକ, ପଦ୍ମ କିଶୋର ନାୟକ ପ୍ରମୁଖ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନର କର୍ମୀ ଯୋଗ ଦେଇଥିଲେ।ଘଟଣାର ସୁଚିନ୍ତିତ ତଦନ୍ତ ଜାରି ରହିଛି ବୋଲି କଲମପୁର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।
ସ୍ବତନ୍ତ୍ର ରିପୋର୍ଟ-ଗଣେଶରାମ ବାଗ

