କଟକରେ ବାମସେଫ୍ ଓ ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନ ଘୋଷଣା

କଟକ(ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) : ମୂଳନିବାସୀ ବହୁଜନ ସମାଜର ରାଷ୍ଟ୍ରବ୍ୟାପୀ ସଂଗଠନ ବାମସେଫ୍ (BAMCEF) ଏବଂ ରାଷ୍ଟ୍ରୀୟ ମୂଳନିବାସୀ ସଂଘର ୪୨ତମ ଏବଂ ଭାରତ ମୁକ୍ତି ମୋର୍ଚ୍ଚାର ୧୫ତମ ସଂଯୁକ୍ତ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତା ୨୬ ଡିସେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ତଳ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ସୂଚନା ଆଜି କଟକର ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବାମସେଫ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ମା. ୱାମନ ମେଶ୍ରାମ ସାହେବ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ, ଏହି ଅଧିବେଶନ ବିର୍ସା-ଫୁଲେ-ଶାହୁ-ଆମ୍ବେଡକର ବିଚାରଧାରାକୁ ଆଗକୁ ନେବା ଉଦ୍ଦେଶ୍ୟରେ ଆୟୋଜିତ ହେଉଛି। ଏହା ପୂର୍ବରୁ ୨୦୦୮ ମସିହାରେ କଟକରେ ଏଭଳି ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯାହା ଦୀର୍ଘ ୧୭ ବର୍ଷ ପରେ ପୁଣି ଥରେ ଓଡ଼ିଶା ମାଟିରେ ଆୟୋଜିତ ହେବାକୁ ଯାଉଛି। ଅଧିବେଶନରେ ଦେଶ-ବିଦେଶରୁ ଆସିଥିବା ୨୫୦ରୁ ଅଧିକ ବୁଦ୍ଧିଜୀବୀ ଏବଂ ବକ୍ତାମାନେ ଦେଶର ପ୍ରାୟ ୧୦୦ ଗୋଟି ଜ୍ୱଳନ୍ତ ସମସ୍ୟା ଉପରେ ବିଚାର-ବିମର୍ଶ କରିବେ ଏବଂ ମାର୍ଗଦର୍ଶନ ପ୍ରଦାନ କରିବେ।ଏହି ଅଧିବେଶନ କେବଳ ମୁସଲମାନଙ୍କର ନୁହେଁ, ବରଂ ସମଗ୍ର ଭାରତର SC, ST, OBC ଏବଂ ଏହି ବର୍ଗରୁ ଧର୍ମ ପରିବର୍ତ୍ତିତ ଅଳ୍ପସଂଖ୍ୟକ (Converted Minority) ବର୍ଗର ସରକାରୀ-ବେସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ, ଯୁବପିଢ଼ି, ସମର୍ଥକ, ଶୁଭଚିନ୍ତକ ଏବଂ ସାମାଜିକ କର୍ମକର୍ତ୍ତାମାନଙ୍କୁ ନେଇ ହେଉଥିବା ଏକ ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ ସମାଜର ଅଧିବେଶନ। ପ୍ରମୁଖ ବିଷୟବସ୍ତୁ ମଧ୍ୟରେ ରହିଛି ଓବିସିଙ୍କର ଜାତିଭିତ୍ତିକ ଜନଗଣନା ଏବଂ ସମସ୍ତ ବର୍ଗର ଜାତିଭିତ୍ତିକ ଜନଗଣନା ସହିତ ସଂଖ୍ୟା ଅନୁପାତରେ ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା; ଗଣତନ୍ତ୍ର ବିରୋଧୀ ଇଭିଏମ୍ ହଟାଇ ବାଲଟ୍ ପେପର୍ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା; କର୍ମଚାରୀଙ୍କର ପୁରୁଣା ପେନ୍ସନ୍ ପୁନଃ କାର୍ଯ୍ୟକାରୀ କରିବା; ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗ ଉପରେ ହେଉଥିବା ଅତ୍ୟାଚାରର କାରଣ ଓ ପ୍ରତିକାର; ବୌଦ୍ଧ ଗୟାର ମହାବୋଧି ମହାବିହାରକୁ ବୌଦ୍ଧ ଅନୁଗାମୀଙ୍କୁ ହସ୍ତାନ୍ତର; ମୁସଲମାନ ବିରୋଧୀ ଅଣସାମ୍ବିଧାନିକ WAQF ସଂଶୋଧନ ବିଧେୟକ ପ୍ରତ୍ୟାହାର; ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ହେଉଥିବା ହିଂସା ଏବଂ ଧାର୍ମିକ ଭେଦଭାବର ପର୍ଦ୍ଦାଫାସ।ଏହା ସହିତ ସରକାରୀ ସଂସ୍ଥାଗୁଡ଼ିକର ଘରୋଇକରଣ ଯୋଗୁଁ ବୃଦ୍ଧି ପାଉଥିବା ବେରୋଜଗାରୀ, ମହିଳା ଓ ଶିଶୁଙ୍କ ପ୍ରତି ଶୋଷଣ, କୃଷକ ଏବଂ ଦିନ ମଜୁରିଆଙ୍କ ସମସ୍ୟା, ଗ୍ରାମ ଓ ସହରାଞ୍ଚଳର ବସ୍ତିବାସୀଙ୍କୁ ବାସଚ୍ୟୁତ କରିବା ଭଳି ମୌଳିକ ସମସ୍ୟାଗୁଡ଼ିକ ଉପରେ ଗଭୀର ଆଲୋଚନା ହେବ। ଅଧିବେଶନରେ ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କର ସାମାଜିକ, ଶୈକ୍ଷଣିକ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଏବଂ ସାମ୍ବିଧାନିକ ଅଧିକାର ବିଷୟରେ ପ୍ରବୋଧନ ଓ ଜାଗରଣ କରାଯିବ।ସାମ୍ବାଦିକ ସମ୍ମିଳନୀରେ ମା. ଗଙ୍ଗାଧର ଜାଲ କାର୍ଯ୍ୟକାରୀ ସଭାପତି BAMCEF, ଡମ୍ବରୁଧର ମାଝୀ ସାଧାରଣ ସମ୍ପାଦକ BAMCEF, ସୁରେନ୍ଦ୍ର ମହାପାତ୍ର, ଦିବ୍ୟ ରଞ୍ଜନ ସାହୁ, ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ ସଭାପତି ମା. କୃଷ୍ଣ ଚନ୍ଦ୍ର ନାୟକ, ଶ୍ରୀମତୀ ନିଶା ମେଶ୍ରାମ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଭାରତ ମୁକ୍ତି ମୋର୍ଚ୍ଚା ନୂଆଁ ଦିଲ୍ଲୀ ଏବଂ ମାନସ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!