ଭବାନୀପାଟଣା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶାର ପଶ୍ଚିମାଞ୍ଚଳର ପ୍ରାଚୀନ କୃଷି ପରମ୍ପରାର ଜୀବନ୍ତ ପ୍ରତୀକ ଛେର୍ ଛେରା (ପୌଷ ପୂର୍ଣ୍ଣିମା ବା ପୁଷ୍ପୁନି) ପର୍ବ ପ୍ରତିବର୍ଷ ଭଳି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମରେ ଉତ୍ସାହ ଓ ଉଲ୍ଲାସର ସହିତ ପାଳନ କରାଯାଇଛି। ଧାନ ଅମଳ ପରେ ନୂଆ ଫସଲର ଧନ୍ୟବାଦ ଜ୍ଞାପନ ଏବଂ ସମାଜରେ ଭାଗିଦାରୀର ଭାବନା ବଢ଼ାଇବାର ଏହି ପର୍ବ କଳାହାଣ୍ଡିର ଗ୍ରାମ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ , କଲମପୁର ଆଦି ଅଞ୍ଚଳର ଗ୍ରାମଗୁଡ଼ିକରେ ଶିଶୁ ଓ ଯୁବକମାନେ ଦଳ ବାନ୍ଧି ଘରେ ଘରେ ବୁଲି “ଛେର୍ ଛେରା” ଗୀତ ଗାଇ ନୂଆ ଧାନ ମାଗିଛନ୍ତି। ଘର ଲୋକେ ଉଦାରତାର ସହିତ ଚାଉଳ, ଧାନ ବା ଅନ୍ୟ ଫସଲ ଦାନ କରି ପର୍ବର ଆନନ୍ଦରେ ସାମିଲ ହୋଇଛନ୍ତି। ଅନେକ ଗ୍ରାମରେ ସାମୁହିକ ଭୋଜି, ଲୋକନୃତ୍ୟ ଏବଂ ପରମ୍ପରାଗତ ଗୀତର ଆୟୋଜନ କରାଯାଇଥିଲା, ଯାହା ଗ୍ରାମ୍ୟ ଏକତା ଓ ଭ୍ରାତୃଭାବକୁ ଆହ୍ୱାନ ଦେଇଛି। କଳାହାଣ୍ଡିର ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଏହି ପର୍ବ ବିଶେଷ ରଙ୍ଗ ଧରିଛି। ଏଠାରେ ପରମ୍ପରାଗତ ନୃତ୍ୟ ଓ ଗୀତ ସହିତ ପ୍ରକୃତି ପୂଜାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ବର୍ଷର କୃଷି ସମୃଦ୍ଧି ପାଇଁ ଧନ୍ୟବାଦ ଜ୍ଞାପନ କରି ଲୋକେ ନୂଆ ବର୍ଷର ଶୁଭକାମନା ବାଣ୍ଟିଛନ୍ତି। ଆଧୁନିକତାର ପ୍ରଭାବ ସତ୍ତ୍ୱେ ଗ୍ରାମାଞ୍ଚଳରେ ଏହି ପରମ୍ପରା ଏବେ ବି ଜୀବନ୍ତ ରହିଛି ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଛେର୍ ଛେରା ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ଓଡ଼ିଶାର ପୁରାତନ କୃଷି ସଭ୍ୟତା ଓ ସାମାଜିକ ସୌହାର୍ଦ୍ଦ୍ୟର ପ୍ରତୀକ। କଳାହାଣ୍ଡି ଜିଲ୍ଲାରେ ଏହାର ପାଳନ ପଶ୍ଚିମ ଓଡ଼ିଶାର ସଂସ୍କୃତିକ ଐତିହ୍ୟକୁ ଆହ୍ୱାନ ଦେଇଛି।
