
ଭବାନୀପାଟଣା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଗତ ୨୪ ବର୍ଷଧରି ନିରଙ୍କୁଶ ଶାସନରେ ଥିଲେ ନବିନ ସରକାର ପୁଣି ଅନୁସୂଚିତ ଜନଜାତି ସଂରକ୍ଷିତ ଆସନରୁ ରହିଆସୁଛନ୍ତି ଆଦିବାସୀ ବିଧାୟକ। ବର୍ତ୍ତମାନ ବିକାଶର ନାରା ଦେଇ ରାଜ୍ୟ ଶାସନ କ୍ଷମତା ହାସଲ କରିଛି ଭାଜପା। ଜନଜାତି ବର୍ଗର ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ। ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଇଛି ଉତ୍ସବ। ବିକଶିତ ଗାଁ ବିକଶିତ ଓଡିଶା ର ଡିଣ୍ଡିମ ପିଟା ଯାଉଛି। କିନ୍ତୁ ଗ୍ରାମାଞ୍ଚଳରେ ବିକାଶ ବାଟବଣା। ତଫସିଳଭୁକ୍ତ ଜନଜାତି ବର୍ଗର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଜନଜାତି ଲୋକ ପ୍ରଭାବିତ। ଅନେକ ଜନଜାତି ବସତିକୁ ରାସ୍ତା ଅଭାବ। ପୁଣି ରାସ୍ତା ଅଭାବ ଜନିତ ଯନ୍ତ୍ରଣା। ଗାଁକୁ ପହଞ୍ଚି ପାରିଲା ନାହିଁ ଶବ ବାହକ ଯାନ, ଖଟିଆରେ ଶବ ବୋହି ଗାଁକୁ ନେଲେ ପରିବାର ଲୋକ। ମଙ୍ଗଳବାର ଅପରାହ୍ଣ ୫ଟା ବେଳେ ଏଭଳି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳି ଅଧିନସ୍ତ ଥୁଆମୁଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଖମାରପଦର ନିକଟସ୍ଥ ଭାଟିପାସ୍ ଗ୍ରାମ ଠାରେ। ଗାଁର ମନ ମାଝୀଙ୍କ ପତ୍ନୀ ସୁଭଦ୍ରା ଗତ ୨୬ ଦିନ ତଳେ ଘରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ପରବର୍ତୀ ସମୟରେ ଉଭୟ ମାଆ ଝିଅଙ୍କ ସ୍ଵାସ୍ଥ୍ୟ ଠିକ୍ ରହିଥିଲା। କିନ୍ତୁ ଗତକାଲି କୌଣସି କାରଣରୁ ସୁଭଦ୍ରାଙ୍କ ଦେହ ଅସୁସ୍ଥ ହେଇଥିଲା। ପରିବାର ଲୋକ ସୁଭଦ୍ରାଙ୍କ ଚିକିତ୍ସା ପାଇଁ ପଡୋଶୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୁଭଦ୍ରାଙ୍କ ମୃତ୍ୟୁ ହେଇଥିଲା। ମଙ୍ଗଳବାର ଅପରାହ୍ଣରେ ଏକ ଶବ ବାହକ ଯାନ ମାଧ୍ୟମରେ ସୁଭଦ୍ରାଙ୍କ ମୃତ ଦେହ ଗାଁକୁ ଆଣୁଥିଲେ। କିନ୍ତୁ ପରିତାପର ବିଷୟ ଖମାରପଦର ଠାରୁ ଭାଟିପାସ୍ ପ୍ରୟା ୨ କିଲୋମିଟର ରାସ୍ତା ନଥୁବାରୁ ଶବ ବାହକ ଯାନ ଗାଁରେ ପହଞ୍ଚି ପାରି ନଥିଲା। ତେଣୁ ବାଧ୍ୟ ହେଇ ପରିବାର ଲୋକ ଖଟିଆରେ ଶବ ବୋହି ପାଦ ଚଲା ରାସ୍ତାରେ ଗାଁକୁ ଶବ ନେଇଥିଲେ। ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ମୃତ ସୁଭଦ୍ରାଙ୍କ ଦାହ ସଂସ୍କାର କରାଯାଇଛି। ଏହି ଘଟଣା ଓଡ଼ିଶା ସରକାରଙ୍କ ବିକାଶର ନାମରେ ଚାଳିଥିବା ବହୁମୂଖୀ କାର୍ଯ୍ୟକ୍ରମର ମୂଳଦୁହା ଖୋଲି ଦେଇଛି। ବିକାଶ ରାଜନେତାଙ୍କ ପାଇଁ ଏକ ଆଦର୍ଶ ନାରା, ଯାହା ନିର୍ବାଚନ ବୈତରଣୀ ପାର ହେବାକୁ ଦିଆଯାଏ। ବାସ୍ତବ ବିକାଶର ଅପେକ୍ଷାରେ ଥିବା ସାଧାରଣ ଜନତା ଏହି ଆଦର୍ଶ ଜୀବନରେ ପାଦ ରଖିବା ଏକ ସ୍ବପ୍ନ ଯାହା ରାଜନେତା ଓ ପ୍ରଶାସନର ପାଦତଳେ ଚାପିହୋଇ ରହିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ସ୍ବତନ୍ତ୍ର ସମ୍ପାଦନା, ରବିନ୍ଦ୍ର ମିଶ୍ର