
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମପଞ୍ଚାୟତ ପିପଲପଡ଼ା ଗ୍ରାମର ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଗତକାଲି ମଙ୍ଗଳବାର ସକାଳେ ନିଜ ବେକରେ ଗାମୁଛା ଦେଇ ଝୁଲି ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସକାଳ ୯ଟା ସମୟରେ ଦେବେନ୍ଦ୍ରଙ୍କୁ ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ଦେଖି ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କୋକସରା ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପୋଲିସକୁ ସୂଚନା ଦେବା ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଧର୍ମଗଡ଼ ଡାକ୍ତରଖାନାରେ ଶବବାହୀ ଗାଡ଼ି ଅଭାବ ଥିବାରୁ ରାଜୀବ ଅଗ୍ରୱାଲ କୋକସରାରୁ ଗାଡ଼ି ମଗାଇ ଶବକୁ ପିପଲପଡ଼ା ପଠାଇବାର ବ୍ୟବସ୍ଥା କରିଥିଲେ। ଦେବେନ୍ଦ୍ର କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣ ରହିଛି, ତାହା ପୋଲିସ ତଦନ୍ତରୁ ଜଣାପଡ଼ିବ ବୋଲି ସ୍ଥାନୀୟ ସୂଚନାରୁ ଜଣାଯାଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ସୃଷ୍ଟି କରିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ