
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ବାମସେଫ କାର୍ଯ୍ୟାଳୟରେ ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱର୍କ (ବିଆଇଏନ) ପକ୍ଷରୁ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତଥାଗତ ଗୌତମ ବୁଦ୍ଧଙ୍କ ଚରିସୁତ୍ରୀ ଅର୍ଥାତ୍ ସମତା, ସ୍ବାଧୀନତା, ନ୍ୟାୟ ଓ ବନ୍ଧୁତ୍ବର ଆଦର୍ଶକୁ ଆଧାର କରି ଦେଶରେ ମାନବବାଦୀ ମୂଲ୍ୟବୋଧ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା। ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଶାଖା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଆଇଏନ ର ରାଷ୍ଟ୍ରୀୟ ପ୍ରଭାରୀ ସନ୍ଦୀପ ମାନଂକର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବୀର୍ସା,ଫୁଲେ, ଶାହୁ,ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ଅନେକ ଅନୁଗାମୀ ସାମିଲ ହୋଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସମାଜରେ ସମତା ଓ ନ୍ୟାୟ ଆଧାରିତ ବ୍ୟବସ୍ଥା ଗଢ଼ି ତୋଳିବା ଏବଂ ମାନବୀୟ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଲାଗି ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ସନ୍ଦୀପ ମାନଂକର ତାଙ୍କ ପ୍ରଶିକ୍ଷଣରେ ତଥାଗତ ବୁଦ୍ଧଙ୍କ ଶିକ୍ଷା ଏବଂ ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଆନ୍ଦୋଲନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସମାଜରେ ବିଦ୍ୟମାନ ଅସମାନତା ଏବଂ ଶୋଷଣକୁ ଦୂର କରିବା ପାଇଁ ବୁଦ୍ଧଙ୍କ ଚରିସୁତ୍ରୀ ଏକ ଶକ୍ତିଶାଳୀ ମାର୍ଗଦର୍ଶକ ହେଉଛି। ଏହି ଶିବିର ସାମାଜିକ ଜାଗରଣ ଓ ସଂଗଠନର ଏକ ସଂଗ୍ରାମୀ ପ୍ରୟାସ ରୂପେ ପରିଚିତ ହୋଇଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଉକ୍ତ କାର୍ଯ୍ୟକ୍ରମ ସମାଜରେ ସମତା ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରିବାରେ ସଫଳ ହୋଇଥିବା ଅନୁଗାମୀମାନେ ମତ ପ୍ରକାଶ କରିଥିଲେ। ଏହା କଳାହାଣ୍ଡିରେ ସାମାଜିକ ପରିବର୍ତ୍ତନ ଓ ମାନବବାଦୀ ଆନ୍ଦୋଲନକୁ ଆହୁରି ଜୋରଦାର କରିବ ବୋଲି ଆଶା କରାଯାଉଛି।