
Oplus_131072
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସରକାର ବଦଳୁଛି, କିନ୍ତୁ ସ୍ଥାନୀୟ ସମସ୍ୟାର ସମାଧାନ ହେଉନାହିଁ । ଧର୍ମଗଡ଼ ବ୍ଲକର ପର୍ଲା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ଦୁର୍ଦଶା ଏହାର ଜ୍ଵଳନ୍ତ ଉଦାହରଣ। ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ ପାଇଁ ଏହା ହେଉଛି ମୁଖ୍ୟ ରାସ୍ତା କିନ୍ତୁ ଏହାର ଶୋଚନୀୟ ଅବସ୍ଥା ସମସ୍ୟା ସୃଷ୍ଟି କରୁଛି। ପର୍ଲା ଆଦର୍ଶ ବିଦ୍ୟାଳୟକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି: ଗୋଟିଏ ରାଜୀବ ନଗର ଦେଇ ଓ ଅନ୍ୟଟି ପଞ୍ଚାୟତ କାର୍ଯ୍ୟାଳୟ ଦେଇ। ରାଜୀବ ନଗର ରାସ୍ତାର କଂକ୍ରିଟ ଭାଙ୍ଗି ନଷ୍ଟ ହୋଇଯାଇଛି, ଯେଉଁଥିପାଇଁ ଏହା ବ୍ୟବହାର ଅଯୋଗ୍ୟ ହେଉଛି। ଅନ୍ୟପଟେ, ପଞ୍ଚାୟତ କାର୍ଯ୍ୟାଳୟ ଦେଇ ଯାଉଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ୨୦-୨୫ ବର୍ଷ ପୂର୍ବେ ନିର୍ମିତ ଏହି ରାସ୍ତା ଏବେ ଖାଲଢିପ, କାଦୁଅ ଓ ଜର୍ଜରିତ ହୋଇପଡ଼ିଛି। ବର୍ଷା ଋତୁରେ ଏହା ପଚପଚ କାଦୁଅରେ ଭର୍ତ୍ତି ହେଉଛି, ଯାହା ଯାତାୟାତକୁ ଅତ୍ୟନ୍ତ କଷ୍ଟକର କରୁଛି। ଏହି ରାସ୍ତାରେ ନିତିଦିନ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଯାତାୟାତ କରୁଛନ୍ତି। ବର୍ଷା ସମୟରେ କାଦୁଅ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ୍ ନଷ୍ଟ ହେଉଛି, ଯାହା ସେମାନଙ୍କ ପାଇଁ ଅସୁବିଧାର କାରଣ ହେଉଛି। ଏହା କେବଳ ଶାରୀରିକ ଅସୁବିଧା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ମଧ୍ୟ ପ୍ରଭାବ ପକାଉଛି। ବର୍ଷା ଋତୁ ଆରମ୍ଭ ହେବା ସହିତ ଏହି ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡିଶା’ କାର୍ଯ୍ୟକ୍ରମ ଜୋରଦାର ଚାଲିଛି ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଦାବି କରାଯାଉଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଏହିପରି ମୌଳିକ ସମସ୍ୟା ପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଉଦାସୀନତା ନୀରବ ପ୍ରଶ୍ନ ଉଠାଉଛି। ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି। ସାଧାରଣ ଜନତାଙ୍କ ମତରେ, ଯଦି ସମୟମତୋ ଏହି ରାସ୍ତାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଭାବିତ ହେବା ସହ ସେମାନଙ୍କ ଭବିଷ୍ୟତ ମଧ୍ୟ ପ୍ରଶ୍ନଚିହ୍ନ ତଳେ ରହିବ। ତେଣୁ ପ୍ରଶାସନ ଏବଂ ସରକାରୀ ବିଭାଗ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ରାସ୍ତା ମରାମତି କରିବା ଜରୁରୀ। ଏହି ସମସ୍ୟାର ସମାଧାନ ନହେଲେ କେବଳ ପର୍ଲା ଗାଁର ଶିକ୍ଷା ବ୍ୟବସ୍ଥା ନୁହେଁ, ବରଂ ବିକଶିତ ଗାଁ ବିକଶିତ ଓଡ଼ିଶାରେ ସରକାରୀ ଉନ୍ନୟନ ଯୋଜନାର ପ୍ରଭାବଶୀଳତା ଉପରେ ମଧ୍ୟ ପ୍ରଶ୍ନ ଉଠିବ। ସମୟ ଆସିଛି କଥା ନୁହେଁ, କାମର ପ୍ରମାଣ ଦେଖାଇବାର।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ