
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ବ୍ଲକର ବୀଜମରା ପଞ୍ଚାୟତ, ଯାହାକୁ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଆଦର୍ଶ ପଞ୍ଚାୟତ ଘୋଷଣା କରି ଉନ୍ନୟନର ସ୍ୱପ୍ନ ଦେଖାଇଥିଲେ, ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ। ବୀଜମରାଠାରୁ ପିପଲଝାପର ପଞ୍ଚାୟତ ଅଫିସ ଯାଉଥିବା ୨ କିମି ରାସ୍ତାର ଶୋଚନୀୟ ଅବସ୍ଥା ଜନସାଧାରଣଙ୍କୁ ନାକେଦମ କରୁଛି। ୩୦ ବର୍ଷରୁ ଅଧିକ ସମୟ ଧରି ମରାମତି ନ ହେବା ଯୋଗୁଁ ଖାଲଖମା, କାଦୁଅ ଓ ମେଟାଲ ପଥର ଯାତାୟାତକୁ ବିପଦଜନକ କରିଛି। ଏହି ରାସ୍ତା ଜୟପାଟଣା ଓ କୋକସରା ବ୍ଲକର ବିଭିନ୍ନ ଗାଁ ଗୁଡିକୁ ଆମପାଣି ରାଜରାସ୍ତା ସହ ସଂଯୋଗ କରୁଥିବା ଏକ ମୁଖ୍ୟ ପଥ। ଶତାଧିକ ଛାତ୍ରଛାତ୍ରୀ ବୀଜମରା ସ୍କୁଲ ଓ କଲେଜକୁ ଏହି ରାସ୍ତା ଦେଇ ଯାଆନ୍ତି, କିନ୍ତୁ ବର୍ଷାରେ କାଦୁଅ ଓ ଖାଲଖମା ଯୋଗୁଁ ସ୍କୁଲ ଯିବା ବନ୍ଦ ହେଉଛି। ସାଇକେଲ ଓ ମୋଟରସାଇକେଲରେ ଯାତାୟାତକାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରଶ୍ନ ଉଠୁଛି, ଏହି ରାସ୍ତାର ଦାୟିତ୍ୱ କାହାର? ଇନ୍ଦ୍ରାବତୀ ଜଳସେଚନ ବିଭାଗ ନା ଆର.ଡି. (ରାସ୍ତା ଓ ପରିବହନ) ବିଭାଗ? ସରପଞ୍ଚ ବାଲକୃଷ୍ଣ ମାଝୀ କହିଛନ୍ତି, ଇନ୍ଦ୍ରାବତୀ ବିଭାଗ ଦାୟିତ୍ୱ ଆର.ଡି.କୁ ହସ୍ତାନ୍ତର କରିଥିବା ଦାବି କରୁଛି, କିନ୍ତୁ ଆର.ଡି. ଏସଡ଼ିଓ ରାଜେନ୍ଦ୍ର ମାଝୀ କହୁଛନ୍ତି, ହସ୍ତାନ୍ତର ହୋଇନାହିଁ। ଏହି ଦ୍ୱନ୍ଦ୍ୱ ମଧ୍ୟରେ ରାସ୍ତାର ଅବସ୍ଥା ଅବହେଳିତ। ସରକାରୀ ରେକର୍ଡରେ ଏହାର ସ୍ପଷ୍ଟ ଉଲ୍ଲେଖ ନଥିବା ଜନସାଧାରଣଙ୍କ ଭବିଷ୍ୟତକୁ ଅନ୍ଧକାରରେ ରଖିଛି। ନିଜକୁ ଜନମଙ୍ଗଳକାରୀ ଦାବି କରୁଥିବା ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟଦକ୍ଷତା ଏହି ଅବହେଳା ଯୋଗୁଁ ପ୍ରଶ୍ନବାଚୀ ହୋଇଛି। ସରକାର କୋଟି କୋଟି ଟଙ୍କା ରାସ୍ତା ନିର୍ମାଣ ପାଇଁ ବ୍ୟୟ ବରାଦ କରୁଥିବା ବେଳେ ଏକ ଆଦର୍ଶ ପଞ୍ଚାୟତରେ ଏଭଳି ଅବସ୍ଥା କାହିଁକି? । ଅଞ୍ଚଳବାସୀ ଦାବି କରୁଛନ୍ତି, ଇନ୍ଦ୍ରାବତୀ ଓ ଆର୍ ଡି ବିଭାଗର ତାକୁ ଖେଳରୁ ଅଞ୍ଚଳବାସୀଙ୍କୁ ଅବହେଳା ନକରି ସରକାର ଏହି ରାସ୍ତାର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ।