
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକର ପର୍ଲା ଗ୍ରାମରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବହୁ ଉତ୍ସାହ ଓ ଭକ୍ତି ଭାବରେ ପାଳିତ ହୋଇଯାଇଛି। ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଅଞ୍ଚଳର ଅନେକ ଲୋକ ସାମିଲ ହୋଇଥିଲେ। ପୂଜକ ସନ୍ତୋଷ ମୁଣ୍ଡଙ୍କ ଦ୍ୱାରା ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ଼ କରାଯାଇ ଜନ୍ମବେଦୀ ଅଭିମୁଖେ ଯାତ୍ରା କରାଯାଇଥିଲା। ଏହି ଅବସରରେ ପିଲା, ବୁଢ଼ା, ଯୁବକ-ଯୁବତୀ ସମସ୍ତେ ଭକ୍ତିରେ ବୁଡ଼ି ରହିଥିଲେ। “ଜୟ ଜଗନ୍ନାଥ” ଧ୍ୱନି ଓ ହରିବୋଲ ନାଦରେ ପର୍ଲାର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଏକ ଝଲକ ପାଇଁ ଆତୁର ଥାଇ ନିଜକୁ ଭକ୍ତିର ସାଗରରେ ସମର୍ପଣ କରିଥିଲେ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଶାର ଗର୍ବ ଓ ଗୌରବର ପରିଚୟ ବହନ କରେ। ଏହି ପବିତ୍ର ଯାତ୍ରାରେ ସାମିଲ ହେବା ପାଇଁ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରୁଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରୋଜ ଦାସ, ପ୍ରବୀଣ ଦାସ, ସୁଶାନ୍ତ ଦାସ, ଚିନ୍ମୟ ଦାସ, ଧନଞ୍ଜୟ ଦାସ, ସାଧୁରାମ ଶବର ପ୍ରମୁଖ ସହଯୋଗ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ