
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ରାଜରାଜୁଡା ସମୟରୁ ଖଣ୍ଡପଡ଼ା ସହରରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ହଜାର ହଜାର ଜନସାଧାରଣଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଖଣ୍ଡପଡ଼ା ରଥଗଡା ଛକ ଠାରୁ ଗୁଣ୍ଡିଚାଘର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ଯ ପୂର୍ତ୍ତବିଭାଗ ପକ୍ଷରୁ ଶେଷ ହୋଇଥିଲେ ହେଁ ବିଭିନ୍ନ ସ୍ଥାନରେ ପୁରୁଣା ବିଦ୍ୟୁତ ଖମ୍ବ ଗୁଡିକ ଏବେବି ରାସ୍ତା ଉପରକୁ ମାଡି ହୋଇ ରହିଛି। ଫଳରେ ରଥଟଣା ବେଳେ ସମସ୍ୟା ସୃଷ୍ଟି ହେଉଛି। ଚଳିତ ବର୍ଷ ରଥ ଟଣା ବେଳେ ରାସ୍ତା ପାର୍ଶ୍ବ ବିଦ୍ୟୁତ ଖମ୍ବରେ ରଥ ଲାଗିଯିବା ଫଳରେ ଆଉ ରଥ ଆଗକୁ ଆସି ନପାରିବା ଓ ପରେ ରଥକୁ ପଛକୁ ଘୁଞ୍ଚାଇ ଟଣାଯିବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ଯରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।ତେଣୁ ମୁଖ୍ଯ ରାସ୍ତା ଉପରକୁ ମାଡି ରହିଥିବା ସମସ୍ତ ବିଦ୍ୟୁତ ଖମ୍ବ ଗୁଡିକ ରାସ୍ତା ପାର୍ଶ୍ବକୁ ସ୍ଥାନାନ୍ତରଣ ନିମନ୍ତେ ପ୍ରଶାସନ ଓ ବିଦ୍ୟୁତ ବିତରଣ କମ୍ପାନୀ (ଟିପିସିଓଡିଏଲ) କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ସେହିପରି ଚଳିତ ବର୍ଷ ଯାତ୍ରା ସମୟରେ ବୁଲା ଗାଇଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ଯ ମୁଖ୍ଯ ରାସ୍ତା ଉପରେ ଦେଖିବାକୁ ମିଳିଥିଲା। ରାସ୍ତା ଉପରୁ ବୁଲା କୁକୁର,ଗାଇ ଓ ଷଣ୍ଢଙ୍କୁ ହଟାଇବାରେ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ବିଫଳତାକୁ ନେଇ ମଧ୍ଯ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେହିପରି ସହରର ପରିମଳ ବ୍ୟବସ୍ଥାରେ କୌଣସି ସୁଧାର ଆସିନଥିବା ଯୋଗୁଁ ମଧ୍ଯ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ମହାପ୍ରଭୁଙ୍କର ଘୋଷଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେଥି ନିମନ୍ତେ ୨ ଥର ପ୍ରସ୍ତୁତି ବୈଠକ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲେ ହେଁ ଫଳଘର ଶୂନ ବୋଲି ଜଣାପଡିଛି।ତେଣୁ ମୋଟାମୋଟି ଭାବେ ରଥଯାତ୍ରା ପରିପ୍ରେକ୍ଷୀରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏକ ପ୍ରହସନ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଗଡଜାତ ଖଣ୍ଡପଡ଼ା ଅଞ୍ଚଳରେ ରଥଯାତ୍ରାର ମାନ ସମୟାନୁକ୍ରମେ ହ୍ରାସ ପାଉଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥି ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ