
ବ୍ରହ୍ମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସିଂହପୁର ଗ୍ରାମରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଉପରେ ହୋଇଥିବା ଅମାନବୀୟ ନିର୍ଯାତନାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସଂଗଠନ ମଙ୍ଗଳବାର ଦକ୍ଷିଣାଞ୍ଚଳ ଆର୍ଡିସି (ରାଜସ୍ୱ ଡିଭିଜନାଲ କମିଶନର) କାର୍ଯାଳୟ, ବ୍ରହ୍ମପୁରକୁ ଘେରାଉ କରିଛନ୍ତି। ଏହି ଅବସରରେ ଆର୍ଡିସିଙ୍କୁ ଏକ ମେମୋରେଣ୍ଡମ ପ୍ରଦାନ କରାଯାଇ ଏହି ଘଟଣାର ଦୃଢ଼ ନିନ୍ଦା କରାଯାଇଛି। କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରୁ ଆମ୍ବେଦକରବାଦୀ, ହେତୁବାଦୀ ଏବଂ ବାମପନ୍ଥୀ ସଂଗଠନର ନେତୃବୃନ୍ଦ ଏକତ୍ରିତ ହୋଇ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ସେମାନେ ଏହି ଅମାନବୀୟ ଘଟଣାର ତୀବ୍ର ବିରୋଧ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ସହିତ ଆସନ୍ତା ୧୫ ଜୁଲାଇରେ ଭୁବନେଶ୍ୱରଠାରେ ବିଧାନସଭା ଘେରାଉ ଏବଂ ମହାସମାବେଶ ଆୟୋଜନ ପାଇଁ ସମାଜକୁ ଏକତ୍ରିତ ହେବାକୁ ଆହ୍ଵାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ନେତୃତ୍ୱ ଓ ସଂଗଠନର ସାଥୀମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇବା ସହ ଆଗାମୀ ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ମଧ୍ୟ ସଫଳ କରିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ଘଟଣା ସମାଜରେ ନ୍ୟାୟ ଓ ସମାନତା ପାଇଁ ସଂଘର୍ଷକୁ ଆହୁରି ଜୋରଦାର କରିବ ବୋଲି ଆଶା କରାଯାଉଛି।