
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ୍ ଅଧୀନ କୁମ୍ଭାରପଡ଼ା ପଞ୍ଚାୟତର ୨ ନମ୍ବର ୱାର୍ଡସ୍ଥିତ ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅବସ୍ଥିତ ୧ ନମ୍ବର ଓ ୩ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଚରମ ଅବ୍ୟବସ୍ଥା ଓ ଅବହେଳାର ଚିତ୍ର ଦେଖିବାକୁ ମିଳୁଛି। ସରକାରଙ୍କ ଶିଶୁ ବିକାଶ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥାଇ ମଧ୍ୟ ଏହି କେନ୍ଦ୍ରଗୁଡ଼ିକ ଅନାବନା ଘାସ, କାଦୁଅ ରାସ୍ତା ଓ ବିଦ୍ୟୁତ ସଂଯୋଗର ଅଭାବ ଭଳି ସମସ୍ୟାରେ ଜର୍ଜରିତ। ସ୍ଥାନୀୟ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଙ୍ଗନୱାଡ଼ି କେନ୍ଦ୍ର ଚତୁଃପାର୍ଶ୍ୱରେ ଅନାବନା ଘାସ ଓ ସରୀସୃପଙ୍କ ଭୟ ରହିଥିବା ଯୋଗୁଁ କୋମଳମତି ଶିଶୁମାନଙ୍କ ପାଇଁ ଏହା ଏକ ଅସୁରକ୍ଷିତ ପରିବେଶ ସୃଷ୍ଟି କରିଛି। ତଅଁଳାସାହି, ନୂଆସାହି, କୁରୁମ ସାହି, ଗୋଡିସାହି ଓ ଫଳିକିଆସାହିରୁ ପ୍ରାୟ ୪୦ରୁ ଅଧିକ ଶିଶୁ ଏହି କେନ୍ଦ୍ରରେ ପାଠ ପଢୁଛନ୍ତି, କିନ୍ତୁ ମୁଖ୍ୟ ରାସ୍ତାରୁ କେନ୍ଦ୍ର ପର୍ଯ୍ୟନ୍ତ ସଂଯୋଗ କରୁଥିବା ମାଟିରାସ୍ତା ବର୍ଷା ଋତୁରେ କାଦୁଅ ଓ ପାଣିଜମା ହେଉଥିବାରୁ ଶିଶୁ ଓ ଅଭିଭାବକମାନେ ଯାତାୟାତରେ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ସିମେଣ୍ଟ କଂକ୍ରିଟକରଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଯାବତ୍ କୌଣସି ପଦକ୍ଷେପ ନେଇନାହିଁ। ସେହିପରି, ଅଙ୍ଗନୱାଡ଼ି କେନ୍ଦ୍ରରେ ପାଇପ ଲାଇନ ଓ ପାଣି ଟାଙ୍କି ସଂଯୋଗ କରାଯାଇଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ହେଉନଥିବାରୁ ଶିଶୁମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ୁଛି। ବିଦ୍ୟୁତ୍ ସଂଯୋଗର ଅଭାବ ମଧ୍ୟ ଏହି ସମସ୍ୟାକୁ ଆହୁରି ଜଟିଳ କରିଛି। ଏହା ସରକାରଙ୍କ ଶିଶୁ କଲ୍ୟାଣ ଓ ଶିକ୍ଷା ନୀତିର ଏକ ଦୁଖଦ ଚିତ୍ର ଉପସ୍ଥାପନ କରୁଛି। ପଞ୍ଚାୟତ କର୍ତ୍ତୃପକ୍ଷ, ଖଣ୍ଡପଡ଼ା ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅବହେଳା ଏହି ସମସ୍ୟାର ମୂଳ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସରକାର ଶିଶୁମାନଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ବଡ଼ ବଡ଼ ଘୋଷଣା କରୁଥିବା ବେଳେ ଗ୍ରାମାଞ୍ଚଳରେ ଏଭଳି ଅବ୍ୟବସ୍ଥା ସରକାରୀ ଯୋଜନାର ବାସ୍ତବତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି। ସାଧାରଣ ଜନତା ଦାବି କରିଛନ୍ତି ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରି ରାସ୍ତାର ସିମେଣ୍ଟ କଂକ୍ରିଟକରଣ, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ସଂଯୋଗ ସୁନିଶ୍ଚିତ କରିବା ସହ ଅଙ୍ଗନୱାଡ଼ି ପରିସରକୁ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ନଚେତ୍ ଏହା ସରକାରଙ୍କ ପ୍ରତି ଜନଅସନ୍ତୋଷକୁ ଆହୁରି ବୃଦ୍ଧି କରିବ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ, ସତ୍ୟଯୁଗ ମିଡ଼ିଆ