
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ଜିଲ୍ଲା ସମ୍ପାଦକ ଗୌର ଚନ୍ଦ୍ର ଛତ୍ରିୟାଙ୍କର ଆଜି ହୃଦ୍ଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନରେ ଶ୍ରୀ ଛତ୍ରିୟା ଛାତିରେ ତୀବ୍ର ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଧର୍ମଗଡ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଶେଷ କୃତ୍ୟ କାଙ୍କେରୀ ଗ୍ରାମରେ ସମ୍ପନ୍ନ ହୋଇଥିଲା, ଯେଉଁଠାରେ ତାଙ୍କ ପୁତୁରା ଅଜୟ ଛତ୍ରିୟା ମୁଖାଗ୍ନୀ ଦେଇଥିଲେ। ଗୌର ଚନ୍ଦ୍ର ଛତ୍ରିୟା ଜଣେ ସମର୍ପିତ ରାଜନୈତିକ କର୍ମୀ ଏବଂ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସହ ଗଭୀର ସମ୍ପର୍କ ରଖିଥିବା ନେତା ଭାବେ ପରିଚିତ ଥିଲେ। ଛାତ୍ର ଜୀବନରୁ ସେ ଜଣେ ଉତ୍କୃଷ୍ଟ ଫୁଟବଲ୍ ଖେଳାଳି ଭାବେ ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିଥିଲେ। ବିଜେଡିର ଜିଲ୍ଲା ସମ୍ପାଦକ ଭାବେ ସେ ଦଳର ସଙ୍ଗଠନକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏକମାତ୍ର ବିବାହିତ ଝିଅ ଏବଂ ପରିବାର ସଦସ୍ୟଙ୍କ ସହ ଅଞ୍ଚଳର ଅନେକ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ଛତ୍ରିୟାଙ୍କ ବିୟୋଗରେ ଧର୍ମଗଡର ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସମ୍ପାଦକ ଭବାନୀ ମିଶ୍ର, ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ, ଆଇନଜୀବୀ କଲ୍ୟାଣୀ ନାଏକ, ରାଜେନ୍ଦ୍ର ମୁନି, ଅଜିତ କୁମାର ସାହୁ, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷା ହୀରା ବାଗ ଏବଂ ଆରଏମସି ଉପାଧ୍ୟକ୍ଷ ବିବେକ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ