
ଥୁଆମୂଳ, ରାମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) “ମୋର ବାପା-ମା’ ନାହାଁନ୍ତି, ତୁମେ ସରକାର ମୋର ବାପା-ମା’। ତେବେ କାହିଁକି ମୋ ପ୍ରତି ଏତେ ନିଷ୍ଠୁର? ମୋର ଦୁଃଖ ଦେଖ, ମୋ ଜୀବନ କେତେ ଅସହାୟ!”—ଏହି ହୃଦୟସ୍ପର୍ଶୀ ଆକ୍ରୋଶ ହେଉଛି ଥୁଆମୂଳ ରାମପୁରର ଗୃହହୀନ ବୃଦ୍ଧ ଦମ୍ପତି ସାଗୁ ମାଝୀ ଓ ତାଙ୍କ ପତ୍ନୀଙ୍କର। ଆଧାର କାର୍ଡରେ ତୃଟି ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏହି ଆଦିବାସୀ ଦମ୍ପତି, ଯେଉଁମାନେ ଜଙ୍ଗଲ ମଝିରେ ଭଙ୍ଗା ମାଟିକୁଡ଼ିଆରେ ଅସହାୟ ଜୀବନ ଜାପନ କରୁଛନ୍ତି। ସାଗୁ ମାଝୀଙ୍କ ଆଧାର କାର୍ଡରେ ନାମ ‘ହାଗୁ ମାଝୀ’ ଓ ଗ୍ରାମ ବାବୁ ବୋଣ୍ଡେଲ ବଦଳରେ ‘ଚିର୍କେଲଗୁଡ଼ା’ ଲେଖାଯାଇଥିବାରୁ ସେ ଓ ତାଙ୍କ ପତ୍ନୀ ସରକାରୀ ଯୋଜନାର ସୁବିଧା ପାଇପାରୁନାହାଁନ୍ତି। ବର୍ଷା ଋତୁରେ ଜଙ୍ଗଲ ପାଣି ତାଙ୍କ ଭଙ୍ଗା କୁଡ଼ିଆ ଭିତରକୁ ପଶୁଛି, ଜଙ୍ଗଲୀ ଜନ୍ତୁଙ୍କ ଭୟ ତାଙ୍କୁ ସବୁବେଳେ ତାଡ଼ିଛି। ଏହି ଅସହାୟ ଦମ୍ପତି କେବଳ ସରକାରୀ ସହାୟତା ନୁହେଁ, ମାନବିକତାର ଆଲୋକ ମଧ୍ୟ ଖୋଜୁଛନ୍ତି। “ମୋତେ ଯଦି ସହାୟତା ଦେଇପାରିବ ନାହିଁ, ତେବେ ମାରିଦିଅ,”—ସାଗୁ ମାଝୀଙ୍କ ଏହି କଥା ତାଙ୍କ ଜୀବନର ଦୁର୍ଦଶାକୁ ସ୍ପଷ୍ଟ କରୁଛି। ଗ୍ରାମର ଓ୍ବାର୍ଡ ମେମ୍ବରଙ୍କଠାରୁ ଆରମ୍ଭ କରି ବିଧାୟକ, ବିଡ଼ିଓ ପର୍ଯ୍ୟନ୍ତ ସେ ନିଜ ଦୁଃଖ ଜଣାଇଛନ୍ତି, କିନ୍ତୁ କେହି ତାଙ୍କ ଗୁହାରୀ ଶୁଣିନାହାଁନ୍ତି। ଦେଶର ରାଷ୍ଟ୍ରପତି ଓଡ଼ିଶାର ଆଦିବାସୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଡ଼ିଓ ମଧ୍ୟ ଆଦିବାସୀ ହୋଇଥିବା ସତ୍ତ୍ବେ ଆମ ଦୁଃଖ ଅଣଦେଖା ରହିଛି ବୋଲି ଗଣମାଧ୍ୟମ ଆଗରେ ସାଗୁ ମାଝୀ ନିଜର ଦୁର୍ଦଶା ବର୍ଣ୍ଣନା କରି ସରକାରଙ୍କୁ ଗୁହାରୀ କରିଛନ୍ତି। ସାଧାରଣରେ ଏକ ଦୃଢ଼ ଦାବି ଉଠିଛି ଯେ ଏହି ବୃଦ୍ଧ ଦମ୍ପତିଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଉ। ଆଧାର କାର୍ଡରେ ତୃଟି ସଂଶୋଧନ କରି ସେମାନଙ୍କୁ ପିଏମ ଆବାସ ଯୋଜନା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଜନସାଧାରଣ ଦାବି କରୁଛନ୍ତି। ସାଗୁ ମାଝୀ ଓ ତାଙ୍କ ପତ୍ନୀଙ୍କ ଜୀବନ ଏକ ଜଳନ୍ତା ଉଦାହରଣ ଯେ କିପରି ଛୋଟ ଛୋଟ ତୃଟି ମଣିଷର ଜୀବନକୁ ଅସହନୀୟ କରିପାରେ। ଏହି ଆଦିବାସୀ ଦମ୍ପତିଙ୍କ ଗୁହାରୀ କେବଳ ସରକାରୀ ଯୋଜନା ପାଇଁ ନୁହେଁ, ଏକ ମାନବୀୟ ସମାଜ ନିର୍ମାଣ ପାଇଁ ଆହ୍ବାନ। ସରକାର ଓ ସମାଜ ଏହି ଅସହାୟ ବୃଦ୍ଧଙ୍କ ପାଇଁ କେତେ ଶୀଘ୍ର ପଦକ୍ଷେପ ନେବ, ତାହା ଏବେ ଦେଖିବାର ବିଷୟ।
ସ୍ବତନ୍ତ୍ର ଖବର – ରବିନ୍ଦ୍ର ମିଶ୍ର