
ଧର୍ମଗଡ଼:( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଉତ୍ତରପ୍ରଦେଶରୁ ଆସି ଧର୍ମଗଡ଼ରେ ଡେରା ପକାଇଥିବା ୬ ଜଣ ଭଣ୍ଡ ବାବାଙ୍କୁ ଧର୍ମଗଡ଼ ପୋଲିସ ଅଟକ କରି ତଦନ୍ତ ଆରମ୍ଭ କରିଛି। ଏମାନେ ଦେହରେ ବିଭୂତି ଓ ବେକରେ ମାଳା ପକାଇ ରାଜରାସ୍ତାରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ଭଣ୍ଡ ବାବାମାନେ ପୁରୀରୁ ଧର୍ମଗଡ଼ ଆସି ବିଭିନ୍ନ ଆଳ ଦେଖାଇ କନାଗାଁ ସରପଞ୍ଚଙ୍କଠାରୁ ୨୫୦୦ ଟଙ୍କା ଓ କାଙ୍କେରୀ ସରପଞ୍ଚଙ୍କଠାରୁ ୫୦୦୦ ଟଙ୍କା ଠକି ନେଇଥିଲେ। ଏହାପରେ ସନ୍ଧିକୁଲିହାରୀରେ ଏକ ଦୋକାନରୁ ପନିର ଓ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଚୋରି କରୁଥିବା ବେଳେ ଦୋକାନୀ ଏମାନଙ୍କୁ ଧରି ଦେଭୋଗ ପୋଲିସକୁ ହସ୍ତାନ୍ତର କରିଥିଲେ। ଦେଭୋଗ ପୋଲିସ ଏମାନଙ୍କୁ ଧର୍ମଗଡ଼ ଥାନାରେ ଜିମା ଦେଇଥିଲା। ଧର୍ମଗଡ଼ ପୋଲିସ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଠକି ନେଇଥିବା ଟଙ୍କା ସରପଞ୍ଚମାନଙ୍କୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ଏମାନେ ଫେରାଇ ଦେଇଛନ୍ତି। ଅଭିଯୁକ୍ତମାନଙ୍କ ଆଧାର କାର୍ଡ ଅନୁଯାୟୀ, ସେମାନେ ହେଲେ ମୁକେଶ କୁମାର, ସୀତାରାମ ଯୋଶୀ, ସୁରେଶ କୁମାର, କ୍ରିଷ୍ଣା ଗିରି, ଗଣେଶ ଗୋସ୍ୱାମୀ ଓ ଗାଡ଼ି ଚାଳକ ସୁବାଷ ଯାଦବ, ସମସ୍ତେ ଉତ୍ତରପ୍ରଦେଶର ବାସିନ୍ଦା। ଏହି ଘଟଣା ଧର୍ମଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସୂଚନା ମିଳିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ