
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) : ରୋଗୀଙ୍କୁ ବିନାମୂଲ୍ୟରେ ଚିକିତ୍ସାଳୟ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଆମ୍ବୁଲାନ୍ସ ସେବା ବର୍ତ୍ତମାନ କଲମପୁର ଓ ଜୟପାଟଣା ଅଞ୍ଚଳରେ ଗୁରୁତର ସଙ୍କଟରେ। ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ତୃତୀୟ ପକ୍ଷ ମାଧ୍ୟମରେ ପରିଚାଳିତ ହେଉଥିବା ସତ୍ତ୍ୱେ, ଗତ ଏକ ବର୍ଷ ଧରି ସେବା ପ୍ରଦାନରେ ଅବହେଳା ଯୋଗୁଁ ଆମ୍ବୁଲାନ୍ସଗୁଡ଼ିକ ଅନେକ ସମୟରେ ରାସ୍ତାରେ ଅଚଳ ହୋଇ ପଡ଼ୁଛି। ଫଳରେ, ରୋଗୀ ଓ ସେମାନଙ୍କ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ, ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଗତ ୮ ଦିନ ଓ କଲମପୁରର ଆମ୍ବୁଲାନ୍ସ ଗତ ୩ ଦିନ ହେବ ଅଚଳ ଅବସ୍ଥାରେ ରହିଛି। ଏହା ଯୋଗୁଁ ରୋଗୀମାନଙ୍କୁ ଥୁଆମୂଳ ରାମପୁର, ଚାରବାହାଲ, ଓ ଚିଲିଗୁଡ଼ା ଅଞ୍ଚଳର ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ଆମ୍ବୁଲାନ୍ସଗୁଡ଼ିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇଥିବା ସମୟରେ, ଅନ୍ୟ ଗୁରୁତର ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଉଦାହରଣ ସ୍ୱରୂପ, ରବିବାର ଜଣେ ସାପକାମୁଡ଼ା ରୋଗୀଙ୍କୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ ଅନେକ ଆମ୍ବୁଲାନ୍ସର ବୀମା ଅବଧି ମଧ୍ୟ ଶେଷ ହୋଇଛି, ଯାହା ସେବାର ଗୁଣବତ୍ତାକୁ ଆହୁରି ଜଟିଳ କରୁଛି। ଏହାସହ, ବ୍ଲକ ବା ଜିଲ୍ଲାସ୍ତରରେ ନିୟନ୍ତ୍ରଣ ବ୍ୟବସ୍ଥାର ଅଭାବ ଯୋଗୁଁ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସମାଧାନ ମିଳୁନଥିବା ଅଭିଯୋଗ ଉଠିଛି। ଏପରି ପରିସ୍ଥିତିରେ ଗୁରୁତର ରୋଗୀଙ୍କ ଜୀବନ ବିପଦାପନ୍ନ ହେବାର ଆଶଙ୍କା ରହିଛି। ସାଧାରଣ ଲୋକଙ୍କ ମଧ୍ୟରେ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜୋର ଧରିଛି। ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଆମ୍ବୁଲାନ୍ସ ସେବାର ନିୟମିତ ରକ୍ଷଣାବେକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ସୁନିଶ୍ଚିତ କରିବା ନିତାନ୍ତ ଆବଶ୍ୟକ।
ସ୍ବତନ୍ତ୍ର ଖବର – ରବିନ୍ଦ୍ର ମିଶ୍ର