
ଧର୍ମଗଡ଼( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଯୌନ ନିର୍ଯାତନା ଓ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଧର୍ମଗଡ଼ ଶାଖା ତରଫରୁ ବୁଧବାର ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ବିକ୍ଷୋଭରେ ଏବିଭିପି ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର ଅଭିଯୋଗ କରିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ବିଭାଗୀୟ ମୁଖ୍ୟ ସମୀର ସାହୁ, କଲେଜ ପ୍ରଶାସନ ଏବଂ ଛାତ୍ର କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ମାନସିକ ଚାପ ଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ। ସେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ସହ ଫାଶୀ ଦାବି କରିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଛାତ୍ର କଂଗ୍ରେସ ଓ ବିଜୁ ଛାତ୍ର ଜନତା ଦଳ ଏହି ଘଟଣାକୁ ରାଜନୈତିକ ରଙ୍ଗ ଦେଇ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଠାକୁର ସମସ୍ତ ଛାତ୍ର ସମାଜକୁ ରାଜନୀତିକୁ ଦୂରେଇ ରଖି ସୌମ୍ୟାଶ୍ରୀଙ୍କ ପାଇଁ ନ୍ୟାୟ ଦାବିରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି। ବିକ୍ଷୋଭରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଦୋଷୀଙ୍କୁ ଫାଶୀ ଦେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜୀବନ ଜ୍ୟୋତି ରାଉତ, ଲିଙ୍ଗେଶ୍ୱର ଜାଲ, ଅଶୋକ ନାଏକ, ଶ୍ରାବଣୀ ରାଉତ, ସ୍ୱସ୍ତୀ ନାଏକ, ହେମବନ୍ତୀ ମିଟଲ, ଲିପ୍ସା ଦ୍ରୁଗାଁ, ମନିଷା ନାଏକ ପ୍ରମୁଖ ସାମିଲ ହୋଇ ଦୋଷୀଙ୍କ ପାଇଁ କଠୋର ଦଣ୍ଡ ପାଇଁ ଦାବି କରିଥିଲେ। ବିକ୍ଷୋଭ ପରେ ଏକ ଶୋକସଭା ଆୟୋଜନ କରାଯାଇ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ