
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ନାବାଳକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବେପରୁଆ ଟ୍ରାକ୍ଟର ଚାଳକଙ୍କ ଅସାବଧାନତା ଯୋଗୁଁ ଟ୍ରାକ୍ଟରର ଡାଲା ପଲଟି ପଡିଥିଲା। ଏହି ଡାଲାରେ ଥିବା ସେଣ୍ଟ୍ରିଂ ସାମଗ୍ରୀ ବାଇକରେ ଯାଉଥିବା ଛିଲିପାମାଲ ଗ୍ରାମର ଯୁବକ ସୁନିଲ କୁମାର ଖର୍ସେଲ (୧୮)ଙ୍କ ଉପରେ ଖସି ପଡିଥିଲା। ଫଳରେ ସୁନିଲଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସ୍ଥାନୀୟ ବଳରାମ ଗହୀର, ବିକାଶ ପୁଞ୍ଜି ଓ ଲକ୍ଷ୍ମଣ ଗହୀର ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁନିଲଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନଶ୍ୟ ଜଣେ ନାବାଳକ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଟ୍ରାକ୍ଟରଟିକୁ ଜବତ କରିଛି, ଯାହା ମହୁଳମୁଣ୍ଡା ଗ୍ରାମର ବୋଲି ଜଣାପଡିଛି। ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ