
ଧର୍ମଗଡ଼:(ସତ୍ୟଯୁଗ ମିଡିଆ – ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶ୍ରାବଣ ମାସର ପବିତ୍ର ପରିବେଶରେ ସମଗ୍ର ଓଡ଼ିଶାରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହି ସମୟରେ ପ୍ରଭୁ ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ଜଣେ ଯୁବକଙ୍କର ଅନନ୍ୟ ବୋଲବମ ଯାତ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନୂଆପଡ଼ା ଜିଲ୍ଲାର ଘଣ୍ଟିଗୁଡ଼ା ଗ୍ରାମର ଯୁବକ ସୋମନାଥ ବାବା ଗତ ୧୦ ଦିନ ଧରି ଏକ ନିଆରା ବୋଲବମ ଯାତ୍ରାରେ ରତ ଅଛନ୍ତି। ସେ କାନ୍ଧରେ ବାହୁଙ୍ଗୀ ବଦଳରେ ହାତରେ ନଡ଼ିଆ ଓ ଜଳ ଧରି ଗୁରୁଣ୍ଡି ଗୁରୁଣ୍ଡି ୧୦୦ କିଲୋମିଟର ଦୂରତା ଅତିକ୍ରମ କରୁଛନ୍ତି। ସୂଚନା ଅନୁଯାୟୀ, ସୋମନାଥ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଡୋକରିଚଞ୍ଚରାରୁ ଜଳ ଉଠାଇ ନୂଆପଡ଼ା ଜିଲ୍ଲାର ସିନାପାଲିସ୍ଥିତ ଘଣ୍ଟିଗୁଡ଼ାର ଶୈବପୀଠରେ ପ୍ରଭୁ ମହାଦେବଙ୍କୁ ଜଳଲାଗି କରିବେ। ସେ ଶ୍ରାବଣ ମାସର ୧୦ ତାରିଖରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଦିନରେ ସେ ୬୦ କିଲୋମିଟର ଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି ଏବଂ ଆଗାମୀ ୨୧ ଦିନ ମଧ୍ୟରେ ବାକି ୪୦ କିଲୋମିଟର ଯାତ୍ରା ଶେଷ କରି ମହାଦେବଙ୍କୁ ଜଳଲାଗି କରିବାର ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଧ୍ୟ ସୋମନାଥ ପାତଳଗଙ୍ଗାରୁ ଘଣ୍ଟିଗୁଡ଼ା ପର୍ଯ୍ୟନ୍ତ ୨୦ କିଲୋମିଟର ଦୂରତାର ଏକ ସମାନ ବୋଲବମ ଯାତ୍ରା କରିଥିଲେ। ଏହି ନିଆରା ଯାତ୍ରାକୁ ଦେଖିବା ପାଇଁ ରାସ୍ତା କଡ଼ରେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଏହି ଯାତ୍ରାରେ ସୋମନାଥଙ୍କୁ ଭାଗରଥୀ ଦାଶ, ସଂଜୟ ଦାଶ, ପରୀକ୍ଷିତ ନାଏକ, ସଚିନ୍ଦ୍ର କଟା ଓ ଯୁଗସନ ମେହେର ପ୍ରମୁଖ ସହଯୋଗ କରୁଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ