
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅସହାୟ ବ୍ୟକ୍ତିଙ୍କ ଆବଶ୍ୟକତା, ସମାଜସେବୀ ଭାବେ ସର୍ବଦା ଆଗେଇ ଆସନ୍ତି ନିର୍ଭୀକ ଯୁବ ସାମ୍ବାଦିକ ପ୍ରଦୀପ ସେଠୀଆ। ବାଧା-ବିଘ୍ନକୁ ସାହସର ସହ ମୁକାବିଲା କରି ସେ ସମାଜସେବାରେ ନିଜର ଅବଦାନ ଜାରି ରଖିଛନ୍ତି। ଏହିଭଳି ଏକ ଘଟଣାରେ, କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଲଡ଼ୁଗାଁର ୩୫ ବର୍ଷୀୟା ରାମାବତୀ ଧଙ୍ଗଡ଼ାମାଝୀ ଗୁରୁତର ଅସ୍ତ୍ରୋପଚାର ପାଇଁ ନବରଙ୍ଗପୁର ଜିଲ୍ଲାର ଖ୍ରୀଷ୍ଟିୟାନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। କିନ୍ତୁ, ତାଙ୍କ ଶରୀରରେ ରକ୍ତର ପରିମାଣ କମ୍ ଥିବା ହେତୁ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁ ନଥିଲା। ରାମାବତୀଙ୍କ ରକ୍ତ ଗ୍ରୁପ ଏବି ପଜିଟିଭ୍ ହୋଇଥିବାରୁ ପରିବାର ଅନେକ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ, ମାତ୍ର ରକ୍ତ ମିଳି ପାରି ନଥିଲା। ଖ୍ରୀଷ୍ଟିୟାନ ହସ୍ପିଟାଲ ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ମଧ୍ୟ ଏବି ପଜିଟିଭ୍ ରକ୍ତ ଉପଲବ୍ଧ ନଥିଲା। ରକ୍ତ ଅଭାବରୁ ରୋଗୀଙ୍କ ପରିବାର ଚିନ୍ତାରେ ଥିଲେ, କାରଣ ଅସ୍ତ୍ରୋପଚାର ବିଳମ୍ବ ହେବା ଫଳରେ ରାମାବତୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଥିଲା। ଏହି ଦୁଃଖଦ ଖବର କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ସୋସିଆଲ ଓ୍ୱେଲଫେୟାର ଅର୍ଗାନାଇଜେସନ୍”ର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀଙ୍କୁ ଜଣାପଡ଼ିବା ପରେ ସେ ତୁରନ୍ତ ଯୁବ ସାମ୍ବାଦିକ ପ୍ରଦୀପ ସେଠୀଆଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦେଇଥିଲେ। ପ୍ରଦୀପ ନିଜର ବ୍ୟସ୍ତ କାର୍ଯ୍ୟକ୍ରମକୁ ପଛରେ ପକାଇ, ସାଙ୍ଗ ମାଧବ ଠାକୁର, ରିଙ୍କୁ ମଙ୍ଗରାଜ ଓ ଉମାକାନ୍ତ ସୁନାନୀଙ୍କ ସହ ବାଇକ୍ରେ ୧୧୦ କି.ମି.ରୁ ଅଧିକ ଦୂରତ୍ୱ ଅତିକ୍ରମ କରି ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲର ରକ୍ତ ଭଣ୍ଡାରକୁ ପହଞ୍ଚିଥିଲେ। ସେଠାରେ ସେ ନିଜର ଏବି ପଜିଟିଭ୍ ରକ୍ତ ୩୨ତମ ଥର ପାଇଁ ଦାନ କରି ରାମାବତୀଙ୍କ ଅସ୍ତ୍ରୋପଚାର ସମ୍ଭବ କରାଇବା ସହ ତାଙ୍କ ଜୀବନ ରକ୍ଷା କରିଥିଲେ। ଏହି ମହାନ କାର୍ଯ୍ୟ ପାଇଁ ପ୍ରଦୀପ ସେଠୀଆ କହିଛନ୍ତି ଯେ, ଯଦି ସମାଜରେ ସମସ୍ତେ ରକ୍ତଦାନ କରନ୍ତି, ତେବେ ରକ୍ତ ଅଭାବରୁ କାହାର ମୃତ୍ୟୁ ହେବ ନାହିଁ। ସେ ଏହା ସହ “ସୋସିଆଲ ଓ୍ୱେଲଫେୟାର ଅର୍ଗାନାଇଜେସନ୍”ର ସମୟୋଚିତ ରକ୍ତଦାନ ପ୍ରୟାସକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ରକ୍ତଦାନ ପାଇଁ ୧୧୦ କି.ମି. ଯାତ୍ରା କଲେ ଯୁବ ସାମ୍ବାଦିକ ପ୍ରଦୀପ ସେଠୀଆ”
Comments are closed.