
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶା ସରକାରଙ୍କ ବସୁଧା ଯୋଜନା ଓ ଜଳ ଜୀବନ ମିଶନ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜୋରଦାର ପ୍ରଚାର କରୁଥିବା ଦାବି କରୁଥିବା ବେଳେ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡ଼ା ଗ୍ରାମ ପଞ୍ଚାୟତର କନ୍ଦାମାଲ-ଝାଙ୍କରପଡ଼ାରେ ଏହି ଯୋଜନା ବାସ୍ତବରେ ବିଫଳ ହୋଇଥିବା ଅଭିଯୋଗ ଉଠିଛି। ଏହି ପଡ଼ାରେ ୩୦ଟି ପରିବାର ବସବାସ କରୁଥିବା ବେଳେ ସେମାନେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। ନଳକୂପରୁ ମିଳୁଥିବା ଫ୍ଲୋରାଇଡ ଯୁକ୍ତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। ଏହାର ପରିଣାମ ସ୍ୱରୂପ, ଅଞ୍ଚଳରେ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି। ଅଭିଯୋଗ ଅନୁଯାୟୀ, ଫ୍ଲୋରାଇଡ ଯୁକ୍ତ ପାଣି ପିଇବା ଯୋଗୁଁ ଦୁଇ ଜଣଙ୍କର କିଡନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମବାସୀ ଏହି ସମସ୍ୟାର ସମାଧାନ ପାଇଁ ଡୁମେରଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ନଳିନୀ ପ୍ରଭା ବେହେରାଙ୍କୁ ଅବଗତ କରାଇଥିଲେ। କିନ୍ତୁ ସରପଞ୍ଚ ଏହା ତାଙ୍କ ଦାୟିତ୍ୱ ନୁହେଁ ବୋଲି କହି ପାଣି ସମସ୍ୟାରୁ ନିଜକୁ ଦୂରେଇ ରଖିଥିବା ଅଭିଯୋଗ ହୋଇଛି। ଏହାଛଡ଼ା, ୨୧ ଏପ୍ରିଲ ୨୦୨୧ରେ ଗ୍ରାମବାସୀ ଗ୍ରାମ୍ୟ ପାନୀୟ ଜଳ ବିଭାଗ, ଧର୍ମଗଡ଼କୁ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ତଥାପି, ଚାରି ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଝାଙ୍କରପଡ଼ାର ବାସିନ୍ଦାଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଇନାହିଁ। ଗ୍ରାମବାସୀ ଧର୍ମଗଡ଼ ଗ୍ରାମ୍ୟ ପାନୀୟ ଜଳ ବିଭାଗର ଏସଡିଓ ବିକେତା ମାଝୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ମାଝୀ କହିଛନ୍ତି, ସେ ୨୦୨୩ରେ ଯୋଗଦାନ କରିଛନ୍ତି ଏବଂ ତାଙ୍କୁ ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ମିଳିନାହିଁ। ସେ ଆହୁରି କହିଛନ୍ତି ଯେ, ସରପଞ୍ଚ ନଳିନୀ ପ୍ରଭା ବେହେରା ତାଙ୍କୁ ଏହି ସମସ୍ୟା ବିଷୟରେ କିଛି ଜଣାଇ ନାହାନ୍ତି। ଲିଖିତ ଅଭିଯୋଗ ମିଳିଲେ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଝାଙ୍କରପଡ଼ାର ବାସିନ୍ଦାଙ୍କ ଅଭିଯୋଗ, ସରକାରୀ ଅବହେଳା ଯୋଗୁଁ ସେମାନେ ମୌଳିକ ଅଧିକାର ଅର୍ଥାତ୍ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଥିବା ବେଳେ, ଓଡ଼ିଶା ସରକାର ଏହି ଗୁରୁତର ସମସ୍ୟାର ସମାଧାନ କେବେ କରିବେ, ତାହା ଦେଖିବାକୁ ବାକି ରହିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “କନ୍ଦାମାଲ-ଝାଙ୍କରପଡ଼ାରେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ବାସିନ୍ଦା: ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁ ସ୍ୱାସ୍ଥ୍ୟ ସଙ୍କଟ”
Comments are closed.