
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଜଗନ୍ନାଥ ସେବା ସମିତି, ଧର୍ମଗଡ଼ ପକ୍ଷରୁ ଅସହାୟ ଓ ଗରିବ ମହିଳାଙ୍କୁ ମାଗଣା ଶାଢ଼ୀ ବଣ୍ଟନ କରାଯାଇଛି । ପଶ୍ଚିମ ଓଡ଼ିଶାର ପାରମ୍ପରିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଏହି ଉଦ୍ୟମ ଗରିବ ପରିବାରଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ୱରେ ଧର୍ମଗଡ଼ ବ୍ଲକର ଛିଲିପା ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଗରିବ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଧର୍ମଗଡ଼ ବିଡିଓ ସଦାଶିବ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ଛିଲିପା ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଡାକ୍ତର ସଂଗ୍ରାମ ପାଣିଗ୍ରାହି, ଏପିଓ ଭର୍ଣ୍ଣୀତା ବିଶ୍ୱାସ, ଜିପିଡିଓ ଦେବୀଚରଣ ମେହେର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ୨୦୦୮ ମସିହାରୁ ସମିତି ଅଞ୍ଚଳର ଗରିବ ଓ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛି। ଏହା ମଧ୍ୟରେ ବାହାରୁ ନାମୀ ଡାକ୍ତରଙ୍କୁ ଆଣି ମାଗଣା ସ୍ୱାସ୍ଥ୍ୟ ଶିବିର, ଗରିବ ବୃଦ୍ଧଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସମର୍ଥ ବ୍ୟକ୍ତିଙ୍କୁ ମାଗଣା ପୂରୀ ଜଗନ୍ନାଥ ଦର୍ଶନ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରିବ କନ୍ୟାଙ୍କ ବିବାହରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣା କାଠ ଯୋଗାଣ, କରୋନା ସମୟରେ ଖାଦ୍ୟ ବଣ୍ଟନ ଏବଂ ଚପଲ ଓ ଛତା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏହି ସମସ୍ତ କାର୍ଯ୍ୟ ମାଧ୍ୟମରେ ସମିତି ସମାଜସେବା କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ