
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ ବେଣାଗାଡିଆ ପଞ୍ଚାୟତର ପଥରଦ୍ବାର ଗ୍ରାମରୁ ବେଣାଗାଡିଆ ନିକଟସ୍ଥ କୁଆଁରିଆ ସେତୁକୁ ସଂଯୋଗ କରୁଥିବା ମାଳବନ୍ଧ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଫଳରେ ଉକ୍ତ କୁଆଁରିଆ ମାଳବନ୍ଧ ରାସ୍ତା ଦେଇ ଯାତାୟାତ ନିମନ୍ତେ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ସାମାନ୍ଯ ବର୍ଷା ହେଲେ ମାଳବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ଗ୍ରାମବାସୀଙ୍କ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମରାମତି ପୂର୍ବରୁ ଉକ୍ତ ମାଳବନ୍ଧ ରାସ୍ତାଟି ସଂପୂର୍ଣ୍ଣ ରୁପେ ଭଲ ଥିଲା। ଗ୍ରାମବାସୀ ମାଳବନ୍ଧ ରାସ୍ତା ଦେଇ ସୁବିଧାରେ ଯାତାୟାତ କରି ପାରୁଥିଲେ।ତେବେ କଣ୍ଟିଲୋ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ମାଳବନ୍ଧର ଉନ୍ନତିକରଣ କାର୍ଯ୍ଯ ଶେଷ ପରେ ଜନସାଧାରଣ ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡିଛି। ଏ ସଂର୍ପକରେ ପ୍ରଶାସନ ଓ ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷା ଯୋଗୁଁ ମାଳବନ୍ଧ ରାସ୍ତା କାଦୁଅ ପଙ୍କରେ ଭର୍ତ୍ତିହୋଇ ପଡିଛି।ଫଳରେ ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ ନିମନ୍ତେ ଗ୍ରାମବାସୀ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଛନ୍ତି। ଇତି ମଧ୍ଯରେ ପଥରଦ୍ବାର ଗ୍ରାମର ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ କଲାବେଳେ କାଦୁଅ ପଙ୍କରେ ଖସିପଡି ଆହାତ ହୋଇଥିବା ଜଣାପଡିଛି। ଉକ୍ତ ମାଳବନ୍ଧ ରାସ୍ତା ପ୍ରତି ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ନୟାଗଡ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ପଥରଦ୍ବାର ଓ ମୁରାରୀପୁର ଗ୍ରାମବାସୀ ଦାବି କରିଛନ୍ତି ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ