
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁରଠାରେ କେଗାଁ କେନ୍ଦୁପତ୍ର ରେଞ୍ଜ ଦ୍ୱାରା ଆୟୋଜିତ ଏକ ସ୍ୱାସ୍ଥ୍ୟ ଶିବିରରେ ଏକ୍ସପାୟାରୀ ଔଷଧ ବଣ୍ଟନର ଅଭିଯୋଗ ସାମ୍ନାକୁ ଆସିଛି। ଜିଲ୍ଲା ଚିକିତ୍ସାଳୟରୁ ଆସିଥିବା ଡାକ୍ତରମାନେ ଏହି ଶିବିରରେ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ, ସୁପତି କାଣ୍ଡ ନାମକ ଜଣେ ବୃଦ୍ଧାଙ୍କୁ ଦିଆଯାଇଥିବା କ୍ୟାଲସିୟମ ସିରପର ଅବଧି ଗତ ଜୁଲାଇ ୨୦୨୫ରେ ଶେଷ ହୋଇଥିବା ଜଣାପଡ଼ିଛି। ଏହା ସହ ଅନେକ ରୋଗୀଙ୍କୁ ଏକ୍ସପାୟାରୀ ଔଷଧ ଦିଆଯାଇଥିବା ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ଔଷଧ ବଣ୍ଟନ ନିରୀହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ଉଠିଛି। ଚପରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରବିନ୍ଦ ଦାସଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଔଷଧ ଚପରିଆ ଡାକ୍ତରଖାନାରୁ ଯାଇନାହିଁ। ଜିଲ୍ଲା ଚିକିତ୍ସାଳୟରୁ ଡାକ୍ତର ବିଜୟ ପଣ୍ଡା ଏହି ଔଷଧ ଆଣି ବଣ୍ଟନ କରିଥିବା ସେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଗୁରୁତର ଭାବେ ନେଇ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଏପରି ଅବହେଳା ଯେମିତି ପୁନରାବୃତ୍ତି ନହୁଏ, ତାହା ନିଶ୍ଚିତ କରିବାକୁ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ