
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୂଆଖାଇର ଉତ୍ସାହ ଓ ଆନନ୍ଦ ମଧ୍ୟରେ ଏକ ମହାନ କାର୍ଯ୍ୟ ସମ୍ପନ୍ନ କରି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ପଞ୍ଚାୟତର ପଦ୍ମପୁର ଗ୍ରାମର ଯୁବକ ଉଦିତ ନାରାୟଣ ଠାକୁର। ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ, କଳାହାଣ୍ଡିର ସକ୍ରିୟ ସଦସ୍ୟ ତଥା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ଉଦିତ ଜଣେ ଶିଶୁର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି। କୋକସରା ବ୍ଲକର ନେଗିଗୁଡା ଗ୍ରାମର ଭାସ୍କର ଖମାରୀଙ୍କ ନଅ ବର୍ଷୀୟ ପୁତ୍ର ଆଶିଷ ଖମାରୀ ଜ୍ୱର ଓ ରକ୍ତହୀନତାରେ ଆକ୍ରାନ୍ତ ହୋଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଆଶିଷଙ୍କୁ ‘ଏ’ ପଜିଟିଭ୍ ରକ୍ତର ଜରୁରୀ ଆବଶ୍ୟକତା ଥିଲା। ଏହି ସଙ୍କଟପୂର୍ଣ ମୁହୂର୍ତ୍ତରେ ପରିବାର ଚିନ୍ତାରେ ପଡ଼ିଥିବା ବେଳେ ସେମାନେ କୋକସରା ବ୍ଲକର ଫୋକସ ପ୍ଲସ ନିର୍ଭୟ ରିପୋର୍ଟର ତଥା ସାମ୍ବାଦିକ ମାଧବ ଠାକୁରଙ୍କୁ ସମ୍ପର୍କ କରିଥିଲେ। ନୂଆଖାଇର ବ୍ୟସ୍ତତା ସତ୍ତ୍ୱେ ମାଧବ ଠାକୁର ଏହି ବିଷୟକୁ ଗୁରୁତ୍ୱ ଦେଇ ତାଙ୍କ ଏକମାତ୍ର ପୁତ୍ର ଉଦିତ ନାରାୟଣ ଠାକୁରଙ୍କୁ ରକ୍ତଦାନ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରକୁ ପଠାଇଥିଲେ। ସାମ୍ବାଦିକ ପ୍ରଦୀପ ସେଠିଆଙ୍କ ସହଯୋଗରେ ଉଦିତ ତୁରନ୍ତ ରକ୍ତଦାନ କରି ଆଶିଷର ଜୀବନ ରକ୍ଷା କରିଥିଲେ। ଏହି ମହତ୍ କାର୍ଯ୍ୟ ପାଇଁ ଆଶିଷଙ୍କ ପରିବାର ଉଦିତଙ୍କୁ ହୃଦୟପୂର୍ଣ୍ଣ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଥର ପାଇଁ ରକ୍ତଦାନ କରି ଉଦିତ ନାରାୟଣ ଠାକୁର ଅନୁଭବ କରିଛନ୍ତି ଯେ, ଏକ ଜୀବନ ବଞ୍ଚାଇବାର ଆନନ୍ଦ ଅତୁଳନୀୟ। ତାଙ୍କ ଏହି ମାନବିକ କାର୍ଯ୍ୟ ସମାଜରେ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି ଏବଂ ବିଭିନ୍ନ ମହଲରେ ଏହାର ଉଚ୍ଚ ପ୍ରଶଂସା ହୋଇଛି।