
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଥୁଆମୁଳ ରାମପୁର ବ୍ଲକ ଅଧୀନ ଅଡ୍ରି ନିକଟସ୍ଥ ଚାନ୍ଦଗିରୀ ନାଳରେ ପ୍ରବଳ ସ୍ରୋତରୁ ଦୁଇ ଯୁବତୀ ଓ ଜଣେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଦୁଇ ଯୁବତୀ ବଡବଫଲା ଗ୍ରାମର ଏବଂ ମହିଳା ଜଣକ ଅଡ୍ରି ଗ୍ରାମର ବୋଲି ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ ନାଳ ନିକଟରେ କାମ କରୁଥିବା ସମୟରେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ତିନି ଜଣ ନାଳ ଉପରେ ଥିବା ପୋଲ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ପାହାଡ଼ି ଅଞ୍ଚଳରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନାଳରେ ତୀବ୍ର ସ୍ରୋତରେ ପାଣି ମାଡ଼ି ଆସିବାରେ ଲାଗିଲା। କୂଳକୁ ଫେରିବାରେ ଅସମର୍ଥ ହୋଇ ତିନି ଜଣ ଭୟରେ ଚିତ୍କାର କରିଥିଲେ। ଏହି ସମୟରେ ସେହି ରାସ୍ତାରେ ଟ୍ରାକ୍ଟର ନେଇ ଯାଉଥିବା ଡମୁ ମୁଦୁଲି ନାମକ ଜଣେ ଟ୍ରାକ୍ଟର ଚାଳକ ସାହସିକତା ଦେଖାଇ ଉଦ୍ଧାର କାର୍ଯ୍ୟରେ ଝାସ ଦେଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସେ ଦୌଡ଼ି ସାହାଯ୍ୟରେ ପୋଲ ତଳକୁ ପହଞ୍ଚି ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଡମୁଙ୍କ ଏହି ସାହସୀ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି ଯେ ସମୟୋଚିତ ସାହାଯ୍ୟ ଓ ସାହସ ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରେ।
ସ୍ବତନ୍ତ୍ର ଖବର – ରବିନ୍ଦ୍ର ମିଶ୍ର