
ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ୨୦ ଦଫା ଦାବିପତ୍ର ପ୍ରଦାନ କରି ଚାରି ଚରଣ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏସସି, ଏସଟି, ଓବିସି ଏବଂ ଅଲ୍ପସଂଖ୍ୟକ ସମୁଦାୟର ଶିକ୍ଷା, ଚାକିରି, ଆଇନଗତ ସୁରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ଏହି ଆନ୍ଦୋଳନ କରାଯାଉଛି। ଦାବିପତ୍ରରେ ଜାତିଗତ ଜନଗଣନା, ଆରକ୍ଷଣ ସୀମା ୫୦%ରୁ ୮୫%କୁ ବୃଦ୍ଧି, ନିଟ, ଜେଇଇ, ୟୁପିଏସସି ଓ ଓପିଏସସି ପରୀକ୍ଷା ନିଶୁଳ୍କ କରିବା, ଘରୋଇ ସଂସ୍ଥାରେ ଆରକ୍ଷଣ, ନୂତନ ଶିକ୍ଷା ନୀତି-୨୦୨୦ ବିଲୋପ, ପଦୋନ୍ନତିରେ ଆରକ୍ଷଣ, ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ କଠୋର କରିବା, ଫରେଷ୍ଟ ରାଇଟ୍ସ ଆକ୍ଟ ଓ ପେସା ଆଇନ କାର୍ଯ୍ୟକାରୀ କରିବା, ମନରେଗାରେ ଦୁର୍ନୀତି ନିବାରଣ, ଜିଲ୍ଲାଭିତ୍ତିକ ନିଯୁକ୍ତି ଓ ଆଶ୍ରମ ବିଦ୍ୟାଳୟର ଅବ୍ୟବସ୍ଥା ଦୂରୀକରଣ ଆଦି ଦାବି ରହିଛି। ସଂଗଠନ ପକ୍ଷରୁ କୁହାଯାଇଛି, ଦାବି ପୂରଣ ନ ହେଲେ ଦ୍ୱିତୀୟ ଚରଣରେ ଧାରଣା, ତୃତୀୟ ଚରଣରେ ମହାମୋର୍ଛା ଓ ଚତୁର୍ଥ ଚରଣରେ ରାସ୍ତା ଅବରୋଧ ସହ ବିଶାଳ ରେଲି କରାଯିବ। ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ରାଜ୍ୟ ଉପସଭାପତି ଲବ କରୁଆ, ଆରଏମବିକେଏସ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ ମୁକ୍ତି ପାର୍ଟି ମହାସଚିବ ମହେନ୍ଦ୍ର ଧଙ୍ଗଡା ମାଝୀ, ରାଷ୍ଟ୍ରୀୟ ମହିମା ଧମ୍ମ ସଂଘ ପ୍ରଚାରକ ଠାକୁର ମଙ୍ଗରାଜ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଭାପତି ସଞ୍ଜୟ ଶବର ପ୍ରମୁଖ ଉପସ୍ଥିତ ଥିଲେ।