
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଧୀନରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ ବେତନ ବକେୟା ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗତ ଅଗଷ୍ଟ ମାସର ବେତନ ପ୍ରଦାନରେ ଏନଏସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ, ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଓ ଅଳିଆ ଗଦା ହୋଇ ପରିବେଶ ଅପରିଷ୍କାର ହେଉଛି। ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥାର ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ନ୍ୟସ୍ତ କରାଯାଇଥିଲେ ମଧ୍ୟ, ନିୟମିତ ଭାବେ ଆବର୍ଜନା ଉଠାଣି ନ ହେବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ପାର୍ବଣ ପର୍ବକୁ ଦୃଷ୍ଟିରେ ରଖି ସହରବାସୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷାଙ୍କୁ ସଫେଇ କର୍ମଚାରୀଙ୍କ ବକେୟା ବେତନ ତୁରନ୍ତ ପ୍ରଦାନ କରିବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ