
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ପୋଲିସ ପ୍ରଶାସନ ପକ୍ଷରୁ ୨ ଟି ଘଟଣାରେ ଚଢାଉ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା,୩ ଟି ମୋବାଇଲ ଫୋନ ଓ ୨ ଟି ବାଇକ ଜବତ କରାଯାଇଥିବା ଜଣାପଡିଛି। ଖଣ୍ତପଡା ଥାନା ପରିସରରେ ଶନିବାର ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମଦନ ମୋହନ ପ୍ରଧାନ ଘଟଣା ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଘଟଣାକ୍ରମେ ଖଣ୍ଡପଡ଼ାସ୍ଥିତ ସୌମ୍ୟବିହାର ପରିସରରୁ ଗତ ୨୫ ତାରିଖ ରାତିରେ ୨ଟି ମୋବାଇଲ ଫୋନ ଓ ନଗଦ ୩ ହଜାର ଟଙ୍କା କେହି ଚୋରୀ କରି ନେଇଥିବା ସଂର୍ପକରେ ସେଠାରେ ରହୁଥିବା ଖଣ୍ଡପଡ଼ା ବଢେଇସାହିର ହରିଶଙ୍କର ମହାରଣା ଖଣ୍ଡପଡ଼ା ଥାନାରେ ୨୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା।ଉକ୍ତ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଖଣ୍ଡପଡ଼ା ଥାନା ଅଧିନ ଗଉଡ ବୋଦସା ଗ୍ରାମର ଶୁସାନ୍ତ ବସ୍ତି(୨୭) ଓରଫ ଜିତୁକୁ ଗିରଫ କରିବା ସହ ତା ଠାରୁ ୨ଟି ମୋବାଇଲ ଫୋନ ଜବତ କରିବା ସହ ସେ ବ୍ୟବହାର କରୁଥିବା ଏକ ଚୋରା ବାଇକକୁ ପୋଲିସ ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଥିଲା। ସେହିପରି ଅନ୍ଯ ଏକ ଘଟଣାକ୍ରମେ ଗତ ୨୫ ତାରିଖ ରାତିରେ ଖଣ୍ଡପଡ଼ା ଥାନା ଅଧିନ ଶିଖରପୁର ଛକରେ ଏକ ପାନ ଦୋକାନ କରିଥିବା କୌଶଲ୍ୟା ସାହୁ(୫୪)ଙ୍କ ଠାରୁ ୨ ଜଣ ଲୁଟେରା ଏକ ବାଇକ ଯୋଗେ ଆସି ପାନ ଓ ସିଗାରେଟ ମାଗିବା ବାହନାରେ ତାଙ୍କ ବେକରେ ଥିବା ୧୬ ଗ୍ରାମ ଓଜନର ଏକ ସୁନାଚେନକୁ ଲୁଟି କରି ନେବା ସମୟରେ ସେ ପାଟି କରିବାରୁ ୨ ଲୁଟେରା ତାଙ୍କୁ ଧକ୍କା ମାରି ଘଟଣାସ୍ଥଳରୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଲୁଟେରାଙ୍କୁ କାବୁ କରି ଧରିବା ସହ ପୋଲିସ ଜିମା ଦେଇଥିଲେ। ପୋଲିସ ୨ ଲୁଟେରାଙ୍କ ଠାରୁ ଚୋରି ହୋଇଥିବା ୧୧ ଗ୍ରାମ ଓଜନର ସୁନା ଜବତ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ଚୋରା ବାଇକ ଓ ମୋବାଇଲ ଫୋନକୁ ପୋଲିସ ଜବତ କରିଥିବା ଜଣାଯାଇଛି।ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ଗିରଫ ୨ ଲୁଟେରା ହେଲେ କୃଷ୍ଣ ସାହୁ(୪୫) ଓରଫ ପାଇ ଓ କୈଳାସ ପ୍ରଧାନ (୨୪) ଓରଫ କଇ ବୋଲି ପୋଲିସ ସୂଚନା ଦେଇଛି। ଉଭୟ ଲୁଟେରାଙ୍କ ଘର ନୟାଗଡ ସହରର ଜଜାଙ୍ଗି ସାହିରେ ବୋଲି ଜଣାପଡିଛି।ଏ ସଂର୍ପକରେ ଖଣ୍ଡପଡ଼ା ଥାନାରେ ୨ ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ୩ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସମେତ ଖଣ୍ଡପଡ଼ା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି,ଏସଆଇ ଗୋପବନ୍ଧୁ ମଲ୍ଲିକ ଓ ମନସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପାର୍ବଣ ପୂର୍ବରୁ ଖଣ୍ଡପଡ଼ା ପୋଲିସ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ