
ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଅଲ ଓଡ଼ିଶା ସେଡୁଲଡ଼ କାଷ୍ଟ ଫେଡେରେସନ ଆନୁକୂଲ୍ୟରେ ୬୯ତମ ଅଶୋକ ବିଜୟା ଦଶମୀ କଳାହାଣ୍ଡି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ବସନ୍ତ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିଭିଶନ ନାଏକ, କାର୍ଯ୍ୟକାରୀ ସଭାପତି ରିଷିସୁଦନ ଛତ୍ରପାଳ, ଉପସଭାପତି ରାମକୁମାର ନାଏକ, କୋଷାଧ୍ୟକ୍ଷ ଗଜମୋହନ ନାଏକ, ମେଡ଼ିଆ ପ୍ରଭାରୀ ରଜନୀକାନ୍ତ ସମର୍ଲିଆ, ଦେବେନ୍ଦ୍ର ନାଏକ, ବିନୋଦ ବିହାରୀ ଦୁର୍ଗା, ଶକ୍ତିରଂଜନ ଛତ୍ରୀଆ, ସର୍ବେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସହରର ତଥାଗତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅଶୋକ ବିଜୟା ଦଶମୀର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରାଯାଇ ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ (ଖ୍ରୀ.ପୂ. ୨୬୧) ପରେ ଅସ୍ତ୍ର ତ୍ୟାଗ କରି ଧର୍ମ ଓ ମାନବତାର ପଥ ଗ୍ରହଣ କରିବାର ଘଟଣାକୁ ସ୍ମରଣ କରାଗଲା। ସେ ନିଜକୁ “ହୃଦୟର ଜୟ”କୁ ପ୍ରକୃତ ବିଜୟ ବୋଲି ଘୋଷଣା କରି ବୌଦ୍ଧ ଧର୍ମର ପ୍ରଚାର ଓ ସ୍ତୂପ-ବିହାର ନିର୍ମାଣ କରିଥିଲେ, ଯେଉଁଥିରେ ବୁଦ୍ଧ ଗୟା ଅନ୍ୟତମ। ଏହି ଦିନଟି ଅଶ୍ୱିନ ମାସର ଦଶମୀ ତିଥିରେ ପଡୁଥିବାରୁ ଏହାକୁ ଅଶୋକ ବିଜୟା ଦଶମୀ ଭାବେ ପାଳନ କରାଯାଏ। ୧୯୫୬ ମସିହାରେ ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକର ଏହି ଦିନ ଧର୍ମ ଚକ୍ର ଗତିଶୀଳ କରି ବୌଦ୍ଧ ଧର୍ମକୁ ପୁନଃସ୍ଥାପନ କରିଥିଲେ, ଯାହା ସମତାବାଦୀ ଓ ଜାତିବିହୀନ ସମାଜ ଗଠନରେ ଏକ ମାଇଲଖୁଣ୍ଟ ପାଲଟିଛି। କାର୍ଯ୍ୟକ୍ରମରେ ସହରର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦୀପଦାନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମାପନ କରାଗଲା। ଏହି ଅବସରରେ ମାନବତା, ସମତା ଓ ବୁଦ୍ଧଙ୍କ ପ୍ରଜ୍ଞା, ଶୀଳ, କରୁଣା ଓ ମୈତ୍ରୀର ବାର୍ତ୍ତାକୁ ପ୍ରଚାର କରିବା ପାଇଁ ସଂକଳ୍ପ ନିଆଗଲା।