ଧର୍ମଗଡ଼ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଡୁଡୁକେଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀ ସମ୍ପ୍ରଦାୟର ପରମ୍ପରାଗତ ବିଶ୍ୱାସ ଓ ସଂସ୍କୃତିକୁ ଅବମାନନା କରି ଦୁଇ ଜଣବ୍ୟକ୍ତି ଜଣେ ବୃଦ୍ଧ ଝାଙ୍କରକୁ ନିର୍ମମ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଦିବାସୀ ସମାଜ ଓ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଗୋଲାମୁଣ୍ଡାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପରମ୍ପରାଗତ ଭାବେ ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି। କିନ୍ତୁ କିଛି ଲୋକ ଦେବୀ ମନ୍ଦିର ଓ ପବିତ୍ର ସ୍ଥାନଗୁଡ଼ିକୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଆଦିବାସୀ ସମ୍ପ୍ରଦାୟର ବୃଦ୍ଧ ରତନ ଭୋଇ (ଝାଙ୍କର, ବୟସ ୬୪ ବର୍ଷ), ସ୍ୱର୍ଗତ ନିଛାଲ ଭୋଇଙ୍କ ପୁତ୍ର, ଗତ ମଙ୍ଗଳବାର (୧୪ ଅକ୍ଟୋବର ୨୦୨୫) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗ୍ରାମର ବସ୍ତି ପଡ଼ାରୁ ନିଜ ଘରକୁ ଫେରୁଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଥିଲେ। ଦେବୀ ଗୁଡ଼ି ପାଖରେ ପାଇଖାନା ନିର୍ମାଣ କରୁଥିବା ରାଜେଶ ବଗର୍ତ୍ତି ଓ କପିଲ ବଗର୍ତ୍ତିଙ୍କୁ ରତନ ଭୋଇ ମନା କରିଥିଲେ। ଏହାକୁ ନେଇ ରାଗରେ ଜରଜର ହୋଇ ଉଠିଥିବା ଉକ୍ତ ଦୁଇ ଠିକାଦାର ତାଙ୍କୁ ଜାତିଗତ ଅପମାନଜନକ ଶବ୍ଦରେ ଗାଳିଗୁଲଜ କରିବା ସହ ଚପଲରେ ନିର୍ଦ୍ଧୁମ ମାରପିଟ୍ କରିଥିଲେ। ଏପରିକି ଭବିଷ୍ୟତରେ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ଏହି ସମୟରେ ଗ୍ରାମର ମୁଣ୍ଟୁ ନାଏକ, ଦୟାନିଧି ଭତ୍ରିଆ ଓ ପ୍ରଭା ବାଗ୍ ଆଦି ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ଜୀବନ ରକ୍ଷା କରିଥିଲେ। ଆହତ ରତନ ଭୋଇ ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଏର କରିଥିଲେ। ଥାନା ଆଇଆଇସି ଚନ୍ଦ୍ରଧ୍ୱଜ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ଅଭିଯୁକ୍ତ ରାଜେଶ ବଗର୍ତ୍ତି ଓ କପିଲ ବଗର୍ତ୍ତିଙ୍କୁ ଗିରଫ କରିଥିଲେ। ଭାରତୀୟ ଦଣ୍ଡବିଧିର ଧାରା ୨୯୬, ୧୧୫(୨), ୧୩୩, ୩୫୧(୨) ଓ ୩(୫) ଅନୁଯାୟୀ କେସ୍ ନମ୍ବର ୧୫୪/୨୦୨୫ ରୁଜୁ କରାଯାଇ ଉଭୟଙ୍କୁ ଧର୍ମଗଡ଼ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ କଳାହାଣ୍ଡି ଆଦିବାସୀ ସଂଘ ଚେତାବନୀ ଦେଇଛି ଯେ, ଯଦି ଚାର୍ଜସିଟ୍ ସମୟରେ ଧାରାଗୁଡ଼ିକୁ କୋହଳ କରାଯାଇ ଅଭିଯୁକ୍ତମାନଙ୍କୁ ପ୍ରଶ୍ରୟ ଦିଆଯାଏ, ତେବେ ସଂଘ ପୋଲିସ୍ ଥାନା ଓ ଜିଲ୍ଲା ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ। ଏହି ଘଟଣା ଆଦିବାସୀ ସମାଜର ବିଶ୍ୱାସ ଓ ଅଧିକାର ଉପରେ ଆଘାତ ବୋଲି ବର୍ଣ୍ଣନା କରାଯାଉଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

 
         
        