ନୟାଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସମାଜରୁ ଦୁର୍ନୀତି ନିରାକରଣ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟିପୁରରେ ଭିଜିଲାନ୍ସ ସଚେତନତା ସପ୍ତାହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଦୀନବନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ କମ୍ପାନୀର ଉପ-ପ୍ରବନ୍ଧକ ଶ୍ରୀ ରଘୁନାଥ ହୋତା, ଭିଜିଲାନ୍ସ ଅଧିକାରୀ ଶ୍ରୀ ଶଶାଙ୍କ କୁମାର, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ସଡ଼ଙ୍ଗୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ଦୁର୍ନୀତିମୁକ୍ତ ଭାରତର ପରିକଳ୍ପନାକୁ ସାକାର କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସହଯୋଗ କାମନା କରିଥିଲେ। ଭିଜିଲାନ୍ସ ଅଧିକାରୀ ଶ୍ରୀ କୁମାର ସଚ୍ଚୋଟତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ସଚେତନତା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଦୁର୍ନୀତିମୁକ୍ତ ଭାରତ” ବିଷୟରେ ଏକ ଚିତ୍ରାଙ୍କନ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀ ତଥା ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟାଯାଇଥିଲା। ଶିକ୍ଷକ ଶ୍ରୀ ସବ୍ୟଜିତ୍ ବେହେରାଏବଂ ଶ୍ରୀ ଦୀନେଶ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ବିଦ୍ୟାଳୟର କର୍ମଚାରୀ ଶ୍ରୀ ସୁକାନ୍ତ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

