ଧର୍ମଗଡ୍ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାତ୍ୟା ‘ମୋନ୍ଥା’ର ପ୍ରତ୍ୟକ୍ଷ ପ୍ରକୋପ ନ ଥିଲେ ମଧ୍ୟ ତା’ର ପ୍ରଭାବରେ ହୋଇଥିବା ଅତ୍ୟଧିକ ବର୍ଷା ଓ ପବନ ଯୋଗୁଁ ଧର୍ମଗଡ଼ ବ୍ଲକ୍ ଅଞ୍ଚଳରେ ଅମଳ ବେଳର ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜମିରେ ପାଣି ଜମି ରହିବା ଫଳରେ ଅଧିକାଂଶ ଧାନ ଗଛ ଚାପି ଶୋଇପଡ଼ିଛି ଏବଂ ପାଚିଲା ଧାନରେ ଗଜା ଉଠିଛି। ଆଉ କିଛି ଦିନ ମଧ୍ୟରେ ଧାନ କାଟି ଖଳାକୁ ଆଣିବାର ଥିଲା ଯୋଜନା, କିନ୍ତୁ ଅସମୟରେ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଧାରକରଜ କରି ଚାଷ କରିଥିବା ଚାଷୀମାନେ ଏବେ ଗଭୀର ଚିନ୍ତାରେ ରହିଛନ୍ତି।କ୍ଷତିଗ୍ରସ୍ତ ଚାଷୀମାନେ ମଙ୍ଗଳବାର ଧର୍ମଗଡ଼ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ଉଚିତ କ୍ଷତିପୂରଣ ଦାବି କରିଛନ୍ତି। ଲୁହାଗାଁ, ଗତାଗୁଡ଼ା, ସାଗୁନଭାଡ଼ି ଆଦି ଗ୍ରାମର ଚାଷୀ ନବ କିଶୋର ନାଏକ, କାନ୍ଦର୍ପ ନାଏକ, କୃଷ୍ଣ ତାଣ୍ଡି, ଟିକେରାମ ସାହୁ, ଡିଙ୍ଗର ଗୋପାଳ, ମହିନ୍ଦ୍ର ନାଏକ, ଖଗେଶ୍ୱର ନାଏକ, ପୁରୁଷୋତ୍ତମ ଭୋଇ ପ୍ରମୁଖ ଏହି ଦାବିପତ୍ରରେ ସମସ୍ୟାର ବିସ୍ତୃତ ବର୍ଣ୍ଣନା କରିଛନ୍ତି। ସେମାନେ ତୁରନ୍ତ ତଦନ୍ତ, କ୍ଷୟକ୍ଷତି ଆକଳନ ଓ ସହାୟତା ପ୍ରଦାନର ଦାବି କରିଛନ୍ତି।ତହସିଲଦାର କହିଛନ୍ତି, “ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯିବ। ରିପୋର୍ଟ ଆସିଲା ପରେ ସରକାରଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନିଆଯିବ।” ଅନ୍ୟପଟେ ବ୍ଲକ୍ କୃଷି ଅଧିକାରୀ ହେମାନନ୍ଦ ମାଝୀ ସ୍ୱୀକାର କରିଛନ୍ତି ଯେ ପବନ ଯୋଗୁଁ ଲୁହାଗାଁ, କନାଗାଁ, କାଙ୍କେରୀ, ଟିପିଗୁଡ଼ା, ଚିଲିଚିଲା, ବୋଡେନ, ତରାପୁର, ଗଡ଼ିଆଜୋର ଆଦି ଅଞ୍ଚଳରେ ଧାନ ଫସଲ ଜମିରେ ଶୋଇପଡ଼ିଛି। ବର୍ଷା କମ୍ ହେଲା ମଧ୍ୟ ପବନର ପ୍ରଭାବ ବେଶୀ ରହିଛି ବୋଲି ସେ କହିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

