ଧର୍ମଗଡ଼(ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଟ୍ରାକ୍ଟର ଟ୍ରଲି ଚୋରକୁ ଧରିବାକୁ ଯାଇ ଦୁଇ ଭାଇଙ୍କ ଟ୍ରାକ୍ଟର ଚାପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମନ୍ତୁଦ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେରଘରା ଗ୍ରାମରେ। ଉଚିତ୍ ତଦନ୍ତ ଓ କ୍ଷତିପୂରଣ ଦାବିରେ ଆଜି ଦୁଇ ମୃତଦେହ ରଖି ପରିବାର ଓ ସ୍ଥାନୀୟ ଲୋକେ ଧର୍ମଗଡ଼ ମୁଖ୍ୟ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବାରୁ ସଡ଼କ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଧର୍ମଗଡ଼ ଥାନା ପୋଲିସ ପହଞ୍ଚି ବୁଝାଇବା ସତ୍ତ୍ୱେ ପରିବାର ଲୋକେ ଦୋଷୀକୁ ଧରିବା ଓ ଉପଯୁକ୍ତ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ସ୍ଥାନୀୟ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ ରାସ୍ତାରୋକ ସ୍ଥାନକୁ ଯାଇ ଦୁଇ ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ଅନ୍ୟାନ୍ୟ ସରକାରୀ କ୍ଷତିପୂରଣ ଦେବାର ଆଶ୍ୱାସନା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା। ଘଟଣାର ବିବରଣୀରୁ ପ୍ରକାଶ ଯେ ନୀତିଦିନ ପରି ଟ୍ରାକ୍ଟର ମାଲିକ ଲାଲୁ ଭଇସାଲ ନିଜର ଟ୍ରାକ୍ଟରର କାମ ସରିବା ପରେ, ନିଜ ଘରର ରାସ୍ତା ନିକଟରେ ଟ୍ରାକ୍ଟରର ଟ୍ରଲିକୁ ରଖୁଥିଲେ। ତେବେ ଗତକାଲି ସୋମବାର ମଧ୍ୟରାତ୍ରିରେ ଚୋର ଆସି ଟ୍ରଲିକୁ ନେଇଯିବା ବେଳେ ପରିସ୍ରା କରିବାକୁ ବାହାରକୁ ବାହାରିଥିଲା ହରିଶଙ୍କର ଭଇସାଲ, ନିଜ କକା ଘର ଟ୍ରାକ୍ଟରର ଟ୍ରଲିକୁ ଅନ୍ୟ ଏକ ଟ୍ରାକ୍ଟର ନେଇକି ଯିବାର ଦେଖି ଟ୍ରାକ୍ଟର ମାଲିକଙ୍କ ସାନ ପୁଅ ସତ୍ୟମ ଭଇସାଲକୁ ଡାକିଥିଲେ। ପରେ ନିଜର ବାଇକ ଯୋଗେ ଦୁଇ ଭାଇ ଚୋରି ନେଉଥିବା ଟ୍ରାକ୍ଟରକୁ ପିଛା କରି ତେନ୍ତୁଲିପଡ଼ା ଛକ ନିକଟ ବ୍ରାହ୍ମଣଛେଣ୍ଡିଆ ପଟ ରାସ୍ତାରେ ଟ୍ରାକ୍ଟର ପିଛା କରିଥିଲେ। ଅଳ୍ପ କିଛି ରାସ୍ତା ଅତିକ୍ରମ କରିବା ପରେ ଟ୍ରାକ୍ଟରର ଆଗକୁ ବାଇକ ନେଇକି ଚୋରି କରିଥିବା ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚୋରମାନେ ଦୁହିଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ଦେଇ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରୁ ଦୁଇ ଭାଇଙ୍କୁ ମୂର୍ଛା ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ଆଣିଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହରିଶଙ୍କର ଭଇସାଲକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପରେ ସତ୍ୟମକୁ କଟକ ବଡ଼ ମେଡ଼ିକାଲ୍ ନେଇ ସ୍ଥାନାନ୍ତରିତ କରୁଥିବା ବେଳେ ଅଧା ବାଟରେ ସତ୍ୟମର ମଧ୍ୟ ମୃତ୍ୟୁ ହୋଇଥିଲା। ଖବର ପାଇ ଧର୍ମଗଡ଼ ପୋଲିସ ଏସ୍ଆଇ ସନ୍ତୋଷ ସିର୍କା ପୁଲିସ ଦଳବଳ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଥିବା ବେଳେ ଧର୍ମଗଡ଼ ପୋଲିସ ଏସ୍ଆଇ ଲୋରିସ ପ୍ରଧାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଦୁଇ ଭାଇଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ଧର୍ମଗଡ଼ ପୁଲିସ ଏହି କେଶର ତଦନ୍ତ ଜାରି ରଖୁଥିବା ଜଣାପଡ଼ିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

