ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୫ନମ୍ବର ୱାର୍ଡ ଅନ୍ତର୍ଗତ ତେନ୍ତୁଳିଆପଡ଼ା ଗ୍ରାମବାସୀ ଆଜି ବିଭିନ୍ନ ନାଗରିକ ସୁବିଧା ଅଭାବକୁ ନେଇ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅଞ୍ଚଳକୁ ଏନଏସିରେ ସାମିଲ କରାଯାଇଥିଲା ପରେ ମଧ୍ୟ ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା, ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ଭଳି ମୌଳିକ ସୁବିଧା ମିଳିପାରୁ ନ ଥିବାରୁ ସ୍ଥାନୀୟ ଲୋକେ ଅତିଷ୍ଠ।ବିଶେଷକରି ତେନ୍ତୁଳିଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିଲା ବେଳେ କେବଳ ୪ ଜଣ ନିୟମିତ ଶିକ୍ଷକ ରହିଥିବାରୁ ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏ ନେଇ ପୂର୍ବରୁ ମଧ୍ୟ ଆନ୍ଦୋଳନ ହୋଇଥିଲା। ଏହା ବ୍ୟତୀତ ପୋଖରୀ ଓ ଟ୍ୟୁବୱେଲ୍ରୁ ପାଣି ପିଇବାକୁ ବାଧ୍ୟ ହେଉଥିବା, ବିଦ୍ୟୁତ୍ ସଂଯୋଗ ଅନିୟମିତ ରହୁଥିବା, ରାସ୍ତା ଓ ଡ୍ରେନ୍ ନ ଥିବାରୁ ବର୍ଷା ଦିନେ ଜଳ ଜମା ହେବା ଓ ରୋଗ ବ୍ୟାପିବା ଭଳି ସମସ୍ୟା ଦୈନନ୍ଦିନ ଜୀବନକୁ ଦୁଃସାଧ୍ୟ କରିଛି।ଏହି ସମସ୍ୟାକୁ ନେଇ ବାରମ୍ବାର ଏନଏସି ଅଫିସ୍ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ଆଜି ସିଧାସଳଖ ଉପଜିଲ୍ଲାପାଳଙ୍କ ନିକଟରେ ଧର୍ଣା ଦେଇ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ବୃହତ୍ ଆନ୍ଦୋଳନ କରାଯିବ ବୋଲି ବାସିନ୍ଦାମାନେ କଡ଼ା ଚେତାବନୀ ଦେଇଛନ୍ତି।ଦାବିପତ୍ର ପ୍ରଦାନ ଅବସରରେ ବିରେନ୍ଦ୍ର ମାଝୀ, ଶିବଲାଲ ସାଗର, ଦୟାରାମ ରାଉତ, ଶଙ୍କର ଚଣ୍ଡୀ, ରମେଶ ଚଣ୍ଡୀ, ଗଗନ ମାଝୀ, କାର୍ତ୍ତିକ ସେଠୀ, ରିଖିରାମ ସାଗର, ଟଙ୍କଧର ମାଝୀ, ଜଗମୋହନ ସେଠୀ, ଯୁବରାଜ ବଣିଆ, ରୁଦ୍ରେ ବଣିଆ, ସଲିମା ସେଠୀ, ଜୁଲି ସେଠୀ ପ୍ରମୁଖ ସହ କାଉନସିଲର ନବୀନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

