
ଭବାନୀପାଟଣା, ତା. ୨୫ ଏପ୍ରିଲ ୨୦୨୫: ଓଡ଼ିଶା ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୫ ଭବାନୀପାଟଣାସ୍ଥିତ ଟାଉନ୍ ହଲ୍ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଭାସୀ ମାଧ୍ୟମରେ ଯୋଗଦାନ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ରାଜ୍ୟରେ ମ୍ୟାଲେରିଆ ନିର୍ମୂଳ ପାଇଁ ଏକ ସ୍ପଷ୍ଟ ରୂପରେଖା ଉପସ୍ଥାପନ କରି କହିଥିଲେ ଯେ, ବିଶେଷ କରି ମ୍ୟାଲେରିଆ ପ୍ରବଣ ଜିଲ୍ଲାଗୁଡ଼ିକ ଯଥା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ବୌଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଦାୟିତ୍ୱଶୀଳ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ପ୍ରତ୍ୟେକ ଜ୍ୱର ରୋଗୀଙ୍କ ରକ୍ତ ପରୀକ୍ଷା, ସଠିକ ଚିକିତ୍ସା, ଏବଂ ନିୟମିତ ମଶାରୀ ବ୍ୟବହାର ଭଳି ପଦକ୍ଷେପ ଗ୍ରହଣ କରାଯାଇ ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ସମ୍ଭବ। କାର୍ଯ୍ୟକ୍ରମ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା, ପ୍ରଦୀପ ପ୍ରଜ୍ୱଳନ ଏବଂ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ସହ ଆରମ୍ଭ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଭାବେନ୍ଦ୍ର ପଣ୍ଡା, ସଦର ବିଧାୟକଙ୍କ ପ୍ରତିନିଧି ଧନୁର୍ଜ୍ୟ ଗହିର, ଓଡ଼ିଶା ରାଜ୍ୟ ଭେକ୍ଟର ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ପ୍ରଭାକର ସାହୁ, ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡକ୍ଟର ଅମରେନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମିନତୀ ଲତା ଦାସ, ଅତିରିକ୍ତ ଜିଲ୍ଲା ଭେକ୍ଟର ରୋଗ ନିୟନ୍ତ୍ରଣ ଶାଖା ଅଧିକାରୀ ଡକ୍ଟର ରଞ୍ଜନ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରାକେଶ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡକ୍ଟର ଦେବୀ ପ୍ରସାଦ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡକ୍ଟର ନିହାରେନ୍ଦ୍ର ପଣ୍ଡା, ଏସ.ପି.ଏମ. ବିଭାଗୀୟ ମୁଖ୍ୟ ରେଣ୍ଡୋ ମାଝୀ ଏବଂ ଭେଜକ ମହାବିଦ୍ୟାଳୟ ଓ ହସ୍ପିଟାଲ, କଳାହାଣ୍ଡିର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହିତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ, ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀ, ଆଶା କର୍ମୀ, ନର୍ସିଂ କଲେଜ ଓ ଏ.ଏନ୍.ଏମ. କଲେଜର ପ୍ରିନ୍ସିପାଲ୍, ୧୩ଟି ବ୍ଲକ ସି.ଏଚ୍.ସି.ର ପି.ଏଚ୍.ଇ.ଓ., ବି.ପି.ଏମ., ବି.ଭି.ଡି.ତି.ଏସ. ଏବଂ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅତିଥିମାନେ କଳାହାଣ୍ଡି ଜିଲ୍ଲାରୁ ମ୍ୟାଲେରିଆ ରୋଗକୁ ସମ୍ପୂର୍ଣ୍ଣ ନିର୍ମୂଳ କରି ଓଡ଼ିଶାକୁ ମ୍ୟାଲେরିଆ ମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସେମାନେ ପ୍ରତ୍ୟେକ ଜ୍ୱର ରୋଗୀଙ୍କ ରକ୍ତ ପରୀକ୍ଷା, ସମ୍ପୂର୍ଣ୍ଣ ଚିକିତ୍ସା, ଜନସଚେତନତା ସୃଷ୍ଟି ଏବଂ ପରିବେଶକୁ ମ୍ୟାଲେରିଆ ମୁକ୍ତ ରଖିବା ସହ ରାତିରେ ଶୋଇବା ସମୟରେ ନିୟମିତ ମଶାରୀ ବ୍ୟବହାର ଉପରେ ଜୋର ଦେଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡକ୍ଟର ଅମରେନ୍ଦ୍ର ମହାନ୍ତି କହିଥିଲେ, “ସୀମାରେ ଦେଶର ସୁରକ୍ଷା ପାଇଁ ଯେପରି ସୈନିକମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ରକ୍ଷା କରନ୍ତି, ସେହିପରି ମ୍ୟାଲେରିଆ ଆକ୍ରାନ୍ତ ବ୍ୟକ୍ତିମାନେ ସଠିକ ସମୟରେ ରକ୍ତ ପରୀକ୍ଷା କରାଇ ପୂର୍ଣ୍ଣ ମାତ୍ରାରେ ଔଷଧ ସେବନ କରି ଅନ୍ୟମାନଙ୍କୁ ଏହି ରୋଗର ସଂକ୍ରମଣରୁ ରକ୍ଷା କରିପାରିବେ। ଏହି ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଆଜି ଏହି କାର୍ଯ୍ୟକ୍ରମରୁ ଆରମ୍ଭ ହେବ” । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଏ.ଏନ୍.ଏମ. କଲେଜ ଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତାମୂଳକ ନାଟକ ‘ଉଆଁସ ରାତିର ଜହ୍ନ’ ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକଙ୍କ ମନକୁ ଛୁଇଁଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ ବିଭାଗ) ଡକ୍ଟର ରଞ୍ଜନ ମିଶ୍ର ସଞ୍ଚାଳନ କରିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରାକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଡି.ପି.ଏମ.ୟୁ. କର୍ମଚାରୀମାନେ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମ୍ୟାଲେରିଆ ନିର୍ମୂଳ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହଯୋଗ ସହ ଜନସାଧାରଣଙ୍କ ସଚେତନତା ଏବଂ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ସ୍ଥିର କରାଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଏବଂ ଦାୟିତ୍ୱବୋଧ ଅପରିହାର୍ଯ୍ୟ ବୋଲି ଅତିଥ,ମାନେ ମତବ୍ୟକ୍ତ କରିଛନ୍ତି।