
Oplus_131072
ଭବାନୀପାଟଣା, ୨୬ ଏପ୍ରିଲ ୨୦୨୫: କଳାହାଣ୍ଡିର ଐତିହାସିକ ଗୌରବ ଓ ତ୍ୟାଗର ପ୍ରତୀକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଜୟନ୍ତୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହାରାଜାଙ୍କ ଅବଦାନ ଓ ଆଦର୍ଶକୁ ନୂତନ ପିଢ଼ୀ ମାନଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିବାରେ ଏକ ମାର୍ଗଦର୍ଶୀ ପଦକ୍ଷେପ ସାବ୍ୟସ୍ତ ହୋଇଛି। କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ତାଙ୍କ ଅମର ସ୍ମୃତିକୁ ସମ୍ମାନ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରକାଶ ତାଙ୍କ ଅଭିଭାଷଣରେ ମହାରାଜାଙ୍କ ତ୍ୟାଗ, ଆଦର୍ଶ, ଦୂରଦୃଷ୍ଟି ଓ ସମାଜ ପ୍ରତି ଅନନ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ମହାରାଜାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନୈତିକ ମୂଲ୍ୟବୋଧ ଓ ସମାଜସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶାନ୍ତ ସିଂ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାୟକ ଉପସ୍ଥିତ ଥିଲେ। ଶିକ୍ଷାବିତ୍ ଡକ୍ଟର ଉମେଶଚନ୍ଦ୍ର ଶତପଥୀ ଓ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ମହାରାଜାଙ୍କ ଜୀବନୀ ଓ ତାଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସମ୍ପର୍କରେ ଗଭୀର ଆଲୋଚନା କରି ଉପସ୍ଥିତ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ମହାରାଜାଙ୍କ ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଜୟନ୍ତୀ ଉତ୍ସବ କେବଳ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ସ୍ମରଣ କରିବାର ଏକ ମାଧ୍ୟମ ନୁହେଁ, ବରଂ ତାଙ୍କ ଆଦର୍ଶକୁ ଆଧୁନିକ ସମାଜରେ ପ୍ରାସଙ୍ଗିକ କରି ନୂତନ ପିଢ଼ିଙ୍କୁ ମୂଲ୍ୟବୋଧ ଓ ଦାୟିତ୍ୱବୋଧରେ ଅନୁପ୍ରାଣିତ କରିବାର ଏକ ସାର୍ଥକ ପ୍ରୟାସ ଥିଲା।