
ଧର୍ମଗଡ଼: ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଓ ଅପାରଗତା ପୁଣି ଥରେ ଧର୍ମଗଡ଼ବାସୀଙ୍କ ପାଇଁ ଅସୁବିଧାର କାରଣ ହୋଇଛି। ଧର୍ମଗଡ଼ ଏନଏସି ୱାର୍ଡ ନଂ ୧ ଭୀମଖୋଜ ପଡ଼ାରେ ଡ୍ରେନେଜ ଓ ପେଭର ବ୍ଲକ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନରୁ ଅଧାରେ ଅଟକି ରହିଛି। ଏହାଦ୍ୱାରା ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୈଶାଖୀ ବର୍ଷାରେ ଆଣ୍ଠୁଏ ପାଣି ଓ କାଦୁଅରେ ଯିବାଆସିବା କରିବାକୁ ବାଧ୍ୟ ହେଉଥିବା ଦୃଶ୍ୟ ଏକ ଦୁଃଖଦ ଚିତ୍ର ସୃଷ୍ଟି କରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଆଲୋଚନା ହେଉଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ଓ ଠିକାଦାରଙ୍କ ଅବହେଳା ଯୋଗୁଁ କାମ ଶେଷ ହେଉନାହିଁ। ଏହାଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି, ପ୍ରକଳ୍ପ ସମ୍ପର୍କିତ ସୂଚନା ଫଳକ ଲଗାଇବାର ନିୟମ ଥାଇ ମଧ୍ୟ ଏଠାରେ କୌଣସି ବିବରଣୀ କିମ୍ବା ସୂଚନା ଫଳକ ଦେଖିବାକୁ ମିଳିନାହିଁ। ଏହା ସରକାରୀ ନିୟମର ସଂପୂର୍ଣ୍ଣ ଉଲ୍ଲଙ୍ଘନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଅଧା କାମ ଯୋଗୁଁ ରାସ୍ତାରେ କାଦୁଅ ଓ ପାଣି ଜମି ରହୁଛି, ଯାହା ଦୈନନ୍ଦିନ ଜୀବନକୁ କଷ୍ଟଦାୟକ କରିଛି। ଏହାସହ ନିମ୍ନମାନର କାର୍ଯ୍ୟ ଓ ଠିକାଦାରଙ୍କ ବେପରୁଆ ମନୋଭାବ ଦୁର୍ନୀତିର ସମ୍ଭାବନାକୁ ଆହୁରି ଘନୀଭୂତ କରୁଛି। “ମାସ ମାସ ଧରି କାମ ଅଧା ରହିଛି, କିଏ ଦାୟୀ? ବିଭାଗ କାହିଁକି ତଦାରଖ କରୁନାହିଁ?” ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ପରିସ୍ଥିତି ଗାଁରେ ଉତ୍ତେଜନା ସୃଷ୍ଟି କରିଛି। ୱାର୍ଡବାସୀ ତୁରନ୍ତ କାମ ଶେଷ ନ ହେଲେ ଆନ୍ଦୋଳନର ପଥ ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରାଜେଶ ମଣ୍ଡଳାଙ୍କୁ ପଚାରିବାରୁ ସେ କହିଛନ୍ତି, “ରାସ୍ତା ସମ୍ପର୍କିତ କିଛି ବିବାଦ ରହିଛି, ଯାହା କାମରେ ବାଧା ସୃଷ୍ଟି କରୁଛି। ଖୁବଶୀଘ୍ର ଧର୍ମଗଡ଼ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ସମାଧାନ କରିବେ, ଏବଂ କାମ ପୁନରାରମ୍ଭ ହେବ।” ତେବେ, ଏହି ଘଟଣା ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱହୀନତା ଓ ପ୍ରଶାସନିକ ଅବହେଳାକୁ ସାମ୍ନାକୁ ଆଣିଛି। ଗ୍ରାମବାସୀଙ୍କ ଅସନ୍ତୋଷ ଓ ଆନ୍ଦୋଳନର ଆଶଙ୍କା ମଧ୍ୟରେ ପ୍ରଶ୍ନ ଉଠୁଛି—କେବେ ସମ୍ପୂର୍ଣ୍ଣ ହେବ ଏହି ପ୍ରକଳ୍ପ? ସରକାରୀ ଅର୍ଥର ସଦୁପଯୋଗ ଓ ଜନସାଧାରଣଙ୍କ ସୁବିଧା ନିଶ୍ଚିତ କରିବା ପାଇଁ ବିଭାଗ କେଉଁ ପଦକ୍ଷେପ ନେବ, ତାହା ଏବେ ଦେଖିବାକୁ ରହିଲା।