
ଭବାନୀପାଟଣା, ୦୧ ମଇ ୨୦୨୫: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ଭବାନୀପାଟଣା ଟାଉନ୍ ହଲ୍ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ସରକାରୀ ଯୋଜନା ମାଧ୍ୟମରେ ବିପୁଳ ପରିମାଣର ଆର୍ଥିକ ସହାୟତା ବଣ୍ଟନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବୈଠାରୁ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଶିଷ୍ଟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାଏକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇଥିଲେ। ଅତିଥିମାନେ ଶ୍ରମିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଜିତମ ମାଝୀ ସ୍ୱାଗତ ଭାଷଣରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାରେ ପଞ୍ଜୀକୃତ ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ସହାୟତା କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ। ଅତିଥିମାନେ ଶ୍ରମିକଙ୍କ ଅଧିକାର ଓ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୮୩ ଜଣ ହିତାଧିକାରୀଙ୍କୁ ମୋଟ ୩,୫୫,୪୧,୬୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୭୩ ଜଣଙ୍କୁ ୬,୧୧,୬୦୦ ଟଙ୍କା (ଶିକ୍ଷା ସହାୟତା),୨୦୭ ଜଣଙ୍କୁ ୧,୦୧,୭୫,୦୦୦ ଟଙ୍କା (ବିବାହ ସହାୟତା),୧୦ ଜଣଙ୍କୁ ୧,୦୦,୦୦୦ ଟଙ୍କା (ପ୍ରସୂତି ସହାୟତା),୧୦୨ ଜଣଙ୍କୁ ୨,୪୨,୦୦,୦୦୦ ଟଙ୍କା (ମୃତ୍ୟୁ ସହାୟତା),୯୧ ଜଣଙ୍କୁ ୪,୫୫,୦୦୦ ଟଙ୍କା (ଅନ୍ତ୍ୟେଷ୍ଟି ସହାୟତା) ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ, ୩ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ୬,୦୦,୦୦୦ ଟଙ୍କାର ମୃତ୍ୟୁ ସହାୟତା ପ୍ରଦାନ କରାଯାଇଛି। ନୂତନ ଭାବେ ପଞ୍ଜୀକୃତ ୬୦ ଜଣ ନିର୍ମାଣ ଶ୍ରମିକ ଓ ୪୦ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି ।କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ନିର୍ମାଣ ଶ୍ରମିକ ଯୋଗ ଦେଇଥିବା ବେଳେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ନିର୍ମାଣ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।