
ଭବାନୀପାଟଣା, ୧୭ ମଇ ୨୦୨୫: କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକର ଏକ ଦୁର୍ଗମ ଗ୍ରାମ କାଚଲେଖାରୁ ଉଠି ଆସିଥିବା ବିନୟ ନାଏକ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତାର ନୂଆ କାହାଣୀ ଲେଖିଛନ୍ତି। ଗରିବ ତଥା ଦଳିତ ଚାଷୀ ପରିବାରର ଏହି ପୁଅ ଓଡ଼ିଶା ପୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ (ଜେଇ) ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ଦ୍ୱାରା ପରିଚାଳିତ ଜେଇ ପରୀକ୍ଷାରେ ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୫୬୯ ରେଙ୍କ ହାସଲ କରି ବିନୟ ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ବିନୟଙ୍କ ଯାତ୍ରା ସହଜ ନଥିଲା। ୨୦୧୬ ମସିହାରେ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ, ଆର୍ଥିକ ଅଭାବ ଯୋଗୁଁ ସେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇ ପାରି ନଥିଲେ। ତଥାପି, ହତାଶ ନହୋଇ ୨୦୧୭ ମସିହାରେ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସଜାମିନେସନ (ଓଜେଇଇ)ରେ ସାରା ରାଜ୍ୟରେ ୨୪୬ ନମ୍ବର ରେଙ୍କ ହାସଲ କରି ଭବାନୀପାଟଣାର ସରକାରୀ ଇଞ୍ଜିନିୟରିଂ କଲେଜରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ ନାମ ଲେଖାଇଥିଲେ। ସେଠାରୁ ଅଧ୍ୟବସାୟ ଲକ୍ଷ୍ୟକୁ ଆଖି ଆଗରେ ରଖି ସେ ଆଗକୁ ବଢିଛନ୍ତି। ବିନୟଙ୍କ ପରିବାରରେ ଆର୍ଥିକ ସଙ୍କଟ ଥାଇ ମଧ୍ୟ, ତାଙ୍କ ବାପା ଶିବ ନାଏକଙ୍କ ସମର୍ଥନ ଓ ପୂର୍ବତନ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆର୍ଥିକ ଓ ନୈତିକ ସହଯୋଗ ତାଙ୍କୁ ଏହି ସଫଳତା ଆଡ଼କୁ ନେଇଛି। ବିନୟ କହିଛନ୍ତି, “ମୁଁ ଦଶମ ଶ୍ରେଣୀରେ ମାତ୍ର ୨୩୯ ମାର୍କ ପାଇଥିଲି। ସେତେବେଳେ ଅନେକେ ମୋତେ ଅବହେଳା କରି କହିଥିଲେ ଯେ ମୁଁ ଜୀବନରେ କିଛି କରିପାରିବି ନାହିଁ। କିନ୍ତୁ ମୁଁ ମୋର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମକୁ ଅସ୍ତ୍ର ବନେଇ ଓଡ଼ିଶାର ସବୁଠୁ କଠିନ ପରୀକ୍ଷାଗୁଡ଼ିକ ମଧ୍ୟରୁ ଗୋଟିଏ ଉତ୍ତୀର୍ଣ୍ଣ କରିଛି।” ସେ ଆହୁରି କହିଛନ୍ତି, “ମାର୍କ କେବଳ ଏକ ସଂଖ୍ୟା। ଯଦି ବ୍ୟକ୍ତିର ଦୃଢ଼ ସଂକଳ୍ପ, ଅଧ୍ୟବସାୟ ଓ ସଠିକ୍ ଦିଗଦର୍ଶନ ଥାଏ, ତା’ହେଲେ ଯେ କୌଣସି ଲକ୍ଷ୍ୟ ହାସଲ କରାଯାଇପାରେ। ଏହା ମୋ ପାଇଁ ଏକ ମନ୍ତ୍ର ହୋଉଛି – ‘ଆଜି ହାରିଲେ କିଛି ନୁହେଁ, କାଲି ପାଇଁ ପ୍ରସ୍ତୁତି ଚାଲୁ ରଖିବା ଦରକାର।’” ବିନୟ ତାଙ୍କ ସଫଳତାର ଶ୍ରେୟ ମାତା, ପିତା, ସମ୍ପର୍କୀୟ ଓ ଭକ୍ତ ଚରଣ ଦାସଙ୍କୁ ଦେଇଛନ୍ତି। ଏହି ସଫଳତା କଳାହାଣ୍ଡି ଜିଲା ତଥା ଥୁଆମୂଳ ରାମପୁର ବ୍ଲକରେ ଆନନ୍ଦର ଲହରୀ ସୃଷ୍ଟି କରିଛି। ବିଭିନ୍ନ ମହଲରୁ ବିନୟଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ଏହି ଅସାଧାରଣ ଯାତ୍ରା ଅନ୍ୟ ଯୁବକ-ଯୁବତୀଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ଆଶା କରାଯାଉଛି।