
ଜୁନାଗଡ଼ ୧୯/୦୫/୨୦୨୫: କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅଧୀନ ଦାସିଗାଁ ଗ୍ରାମପଞ୍ଚାୟତରେ ଅବସ୍ଥିତ ଚୋରଖସିଗୁଡା ବସ୍ତିପଡା, ଯେଉଁଠାରେ ସମୟ ଯେମିତି ଖାଲ ଖମାଙ୍କ ଓ କାଦୁଅ ଭର୍ତ୍ତି ରାସ୍ତାରେ ଅଟକି ରହିଛି। ଏହି ରାସ୍ତା କେବଳ ମାଟି ଓ ପଥରର ଏକ ଭଗ୍ନାବଶେଷ ନୁହେଁ, ବରଂ ଗ୍ରାମବାସୀଙ୍କ ସ୍ୱପ୍ନ, ଆଶା ଓ ଜୀବନର ଏକ ନିର୍ମମ ପ୍ରତିଚ୍ଛବି। ବର୍ଷାରେ ଜଳାଶୟ, ଗ୍ରୀଷ୍ମ ଋତୁରେ ଧୂଳିର ପାହାଡ଼ । ଏହି ରାସ୍ତା ଚୋରଖସିଗୁଡାବାସୀଙ୍କ ଜୀବନକୁ ଏକ ଅନ୍ତହୀନ ଯନ୍ତ୍ରଣାରେ ପରିଣତ କରିଛି। କିନ୍ତୁ ଏହାର ସବୁଠୁ ଦୁଃଖଦ ପରିଣାମ ହେଉଛି ପ୍ରଶାସନର ନିରବତା, ଯାହା ଏକ ଅଭିଶାପରୁ କମ ନୁହେଁ। ଚୋରଖସିଗୁଡାର ରାସ୍ତା ଦୀର୍ଘ ବର୍ଷ ଧରି ମରାମତିର ମୁଖ ଦେଖିନାହିଁ। ଛୋଟ ଛୋଟ ଶିଶୁମାନେ କାଦୁଅରେ ଗୋଡ଼ ବୁଡ଼ାଇ ସ୍କୂଲ ଯାଆନ୍ତି, କିନ୍ତୁ ଅନେକ ସମୟରେ ସେମାନେ ରାସ୍ତାରେ ପଡ଼ି ଆହତ ହୁଅନ୍ତି। ଚାଷୀମାନେ ନିଜର ଝାଲବୁହା ଉପାର୍ଜିତ ଶସ୍ୟ ବଜାରକୁ ନେଇପାରୁନାହାନ୍ତି, ଯାହା ସେମାନଙ୍କୁ ଆର୍ଥିକ ସଙ୍କଟରେ ପକାଉଛି। ରୋଗୀଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହେଉଛି,ଗର୍ଭବତୀ ମହିଳା ଓ ବୃଦ୍ଧମାନେ ଏହି ଖରାପ ରାସ୍ତାରେ ଜୀବନ ମୃତ୍ୟୁର ସଂଘର୍ଷରେ ଲଢ଼ୁଛନ୍ତି। ଗାଡ଼ିମଟର ଭାଙ୍ଗିଯାଉଛି, ଦୁର୍ଘଟଣାର ଆଶଙ୍କା ବଢ଼ୁଛି, ଆଉ ଗାଁର ମହିଳା ଓ ଶିଶୁମାନେ ଏକ ଅନିଶ୍ଚିତ ଭବିଷ୍ୟତରେ ଅଟକି ରହିଛନ୍ତି। ଗ୍ରାମବାସୀମାନେ ଅଭିଯୋଗ କରି କହନ୍ତି “ଆମେ ଟିକସ ଦେଉଛୁ, ଭୋଟ ଦେଉଛୁ, କିନ୍ତୁ ଆମ ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ। ଆମେ କ’ଣ ଏହି ଦେଶର ନାଗରିକ ନୁହଁ?” । ଦାସିଗାଁ ଗ୍ରାମପଞ୍ଚାୟତ ଓ ଜୁନାଗଡ ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଏହି ସମସ୍ୟା ଜଣାଇଛନ୍ତି। ଅଭିଯୋଗର ପାହାଡ଼ ଥାଇ ମଧ୍ୟ ପ୍ରଶାସନର କାନରେ ଜୁଣ ଗଲିନାହିଁ। ଏହା କେବଳ ନିଷ୍କ୍ରିୟତା ନୁହେଁ, ଜନସାଧାରଣଙ୍କ ମୌଳିକ ଅଧିକାର ପ୍ରତି ଘୋର ଅବହେଳା। ସରକାର ଗାଁକୁ ସହର ସହ ଯୋଡ଼ିବାର ବଡ଼ ବଡ଼ ଯୋଜନା କରୁଛନ୍ତି, କିନ୍ତୁ ଚୋରଖସିଗୁଡାର ଏହି ରାସ୍ତା ସରକାରୀ ଦାବିର ମିଛ ମୁଖା ଖୋଲି ଦେଉଛି। ପ୍ରଶ୍ନ ଉଠୁଛି: ଯେଉଁ ସରକାର ଗ୍ରାମୀଣ ଉନ୍ନୟନର ଜୟଗାନ ଗାଉଛନ୍ତି, ସେମାନେ କାହିଁକି ଚୋରଖସିଗୁଡାକୁ ଏକ ସାଧାରଣ ରାସ୍ତା ଦେଇପାରୁନାହାନ୍ତି? ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏହି ଉଦାସୀନତା କ’ଣ ଗରିବ ଗ୍ରାମବାସୀଙ୍କ ପ୍ରତି ଅପମାନ ନୁହେଁ? ଯେଉଁ ଅଧିକାରୀମାନେ ବିଳାସପୂର୍ଣ୍ଣ ଗାଡ଼ିରେ ଘୂରୁଛନ୍ତି, ସେମାନେ କେବେ ଚୋରଖସିଗୁଡାର ଏହି ରାସ୍ତାରେ ଗୋଡ଼ ରଖି ଗ୍ରାମବାସୀଙ୍କ ଯନ୍ତ୍ରଣା ଅନୁଭବ କରିବେ? ଏହି ଖରାପ ରାସ୍ତା ଗ୍ରାମବାସୀଙ୍କ ଜୀବନରେ ଏକ ଅଭିଶାପ ସାଜିଛି। ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି, ଅନେକ ଛାତ୍ରଛାତ୍ରୀ ନିୟମିତ ସ୍କୂଲ ଯାଇପାରୁନାହାନ୍ତି। ସ୍ୱାସ୍ଥ୍ୟ ସେବା ଏକ ଦୁଃସ୍ୱପ୍ନ ହୋଇପଡ଼ିଛି,ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବା ଅସମ୍ଭବ। ଅର୍ଥନୀତି ଧ୍ୱଂସ ହେଉଛି,ଚାଷୀ ଓ ବ୍ୟବସାୟୀମାନେ ନିଜ ଉତ୍ପାଦ ବଜାରରେ ପହଞ୍ଚାଇ ପାରୁନାହାନ୍ତି। ସାମାଜିକ ଜୀବନ ମଧ୍ୟ ସ୍ଥବିର ହୋଇପଡ଼ିଛି,ବୃଦ୍ଧ ଓ ମହିଳାମାନେ ଗାଁ ଭିତରେ ମଧ୍ୟ ଚଳପ୍ରଚଳ କରିବାକୁ ଭୟ କରୁଛନ୍ତି। ଚୋରଖସିଗୁଡାର ଗ୍ରାମବାସୀ ନେହୁରା ହୋଇ ନିବେଦନ ଜଣାଇଛନ୍ତି। ସେମାନେ ସରକାରଙ୍କୁ ପଚାରୁଛନ୍ତି: “ଆମେ କେତେ ଦିନ ଏହି ଯନ୍ତ୍ରଣା ସହିବୁ? ଆମର ମୌଳିକ ଅଧିକାର କାହିଁକି ଅବହେଳିତ?” ।ଚୋରଖସିଗୁଡାର ଏହି ସମସ୍ୟା ଗାଁ ସୀମା ଅତିକ୍ରମ କରି ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଉଜାଗର କରୁଛି। ଯେଉଁ ସରକାର ଗରିବଙ୍କ କଲ୍ୟାଣ ଓ ଗ୍ରାମୀଣ ଉନ୍ନୟନର ଦାବି କରୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ପରୀକ୍ଷାର ରୁପ ନେଇଛି । ଯଦି ପ୍ରଶାସନ ଏବେ ମଧ୍ୟ ନିଷ୍କ୍ରିୟ ରହେ, ତେବେ ଗ୍ରାମବାସୀଙ୍କ ଅସନ୍ତୋଷ ଏକ ବଡ଼ ଆନ୍ଦୋଳନରେ ପରିଣତ ହେବ, ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାର ଓ ପ୍ରଶାସନର ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେମାନେ ଗଣମାଧ୍ୟମ ଆଗରେ ତୁରନ୍ତ ରାସ୍ତା ମରାମତି,ଦୀର୍ଘମିଆଦୀ ସମାଧାନ ପାଇଁ ପକା ରାସ୍ତା ନିର୍ମାଣ,ପ୍ରଶାସନ ଗ୍ରାମବାସୀଙ୍କ ଅଭିଯୋଗର ସମୟବଦ୍ଧ ସମାଧାନ,ରାସ୍ତାର ଅବସ୍ଥା ଖରାପ ନହେବା ପାଇଁ ରକ୍ଷଣାବେକ୍ଷଣ ବ୍ୟବସ୍ଥା, ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।