
ଧର୍ମଗଡ଼ ( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ)କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରେ ମଶା ଓ ମାଛିର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଗ୍ରୀଷ୍ମର ତାତିରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟା ସମୟରେ ଲୋକେ ଘର ବାହାରେ, ଦାଣ୍ଡରେ, ରାସ୍ତାଘାଟ କିମ୍ବା ଛକବାହାରେ ବାହାରୁଥିବା ବେଳେ ମଶାମାଛିର ଉପଦ୍ରବ ସେମାନଙ୍କୁ ଅସୁବିଧାରେ ପକାଉଛି। ଅନେକ ସ୍ଥାନୀୟ ବାସିନ୍ଦା ତାତି ଯୋଗୁଁ ଘର ବାହାରେ ଶୋଇବାକୁ ବାଧ୍ୟ ହେଉଥିବା ବେଳେ ମଶା ମାଛି କାମୁଡ଼ିବା ଫଳରେ ଚର୍ମରୋଗ ଓ ମ୍ୟାଲେରିଆ ଭଳି ରୋଗର ଶିକାର ହେଉଥିବା ଅଭିଯୋଗ ଉଠିଛି। ଧର୍ମଗଡ଼ ନଗରପାଳିକା (ଏନ୍ ଏ ସି) ଅଧୀନରେ ଥିବା ଅନେକ ୱାର୍ଡରେ ନାଳ ନର୍ଦମାରେ ଜମା ହୋଇ ରହୁଥିବା ପଚାସଢ଼ା ପାଣି ଏହି ସମସ୍ୟାକୁ ଆହୁରି ବୃଦ୍ଧି କରୁଛି। ବିଶେଷକରି ୱାର୍ଡ ନମ୍ବର ୧ ଭୀମଖୋଜ ପଡ଼ାରେ ବର୍ଷସାରା ନାଳରେ ପାଣି ଜମା ହେବା ସହ ସଫେଇର ଅଭାବ ଯୋଗୁଁ ମଶା ମାଛିର ବଂଶବିସ୍ତାର ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ନାଳ ନର୍ଦମାରେ ବ୍ଲିଚିଂ ପାଉଡର କିମ୍ବା ମଶା ନିୟନ୍ତ୍ରଣ ଔଷଧ ସିଞ୍ଚନ କରାଗଲେ ଏହି ସମସ୍ୟାରୁ କିଛି ପରିମାଣରେ ମୁକ୍ତି ମିଳିପାରେ। ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅଧୀନରେ ପରିବେଶ ପରିଚ୍ଛନ୍ନତା ଓ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହନ ଦିଆଯାଇଛି। ତେବେ ସ୍ଥାନୀୟ ସ୍ତରରେ ଏହି ଯୋଜନାର କାର୍ଯ୍ୟକାରୀତା ପ୍ରତି ପ୍ରଶ୍ନ ଉଠୁଛି। ନାଳ ନର୍ଦମା ଓ ରାସ୍ତାଘାଟର ସଫେଇ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥାଇ ମଧ୍ୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଏହା କାଗଜକଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାମାନେ ଏନ୍ଏସି ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନାଳ ନର୍ଦମା ସଫେଇ, ଔଷଧ ସିଞ୍ଚନ ଓ ପରିବେଶ ପରିଚ୍ଛନ୍ନତା ନିଶ୍ଚିତ କରିବାକୁ ଦାବି କରିଛନ୍ତି । ପ୍ରଶାସନର ନୀରବତା ଏବଂ ନିଷ୍କ୍ରିୟତା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣ ଜନତା ଦାବି କରୁଛନ୍ତି।
(ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ, ସତ୍ୟଯୁଗ ମିଡିଆ)