
(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାବା ସାହେବ ଡ଼କ୍ଟର ଭୀମରାଓ ଆମ୍ବେଦକରଙ୍କ କହନ୍ତି “ମାନସିକ ସ୍ବାଧିନତା ହିଁ ବାସ୍ତବିକ ସ୍ବାଧିନତା” । ଯାହା ମନୁଷ୍ୟ ଜୀବନରେ ମନର ସ୍ବାଧୀନତାର ମହତ୍ତ୍ୱକୁ ସ୍ପଷ୍ଟ କରେ। ଏହା କେବଳ ଶାରୀରିକ ମୁକ୍ତି ନୁହେଁ, ବରଂ ଚିନ୍ତା, ବିଚାର ଓ ବିବେକର ସ୍ବାଧୀନତାକୁ ଗୁରୁତ୍ୱ ଦେଇଛି। ଏହି ଚିନ୍ତାଧାରା ଆଧାରରେ ସେ ଭାରତୀୟ ସମ୍ବିଧାନରେ ସାମ୍ବିଧାନିକ, ଧାର୍ମିକ, ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ବତନ୍ତ୍ରତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛନ୍ତି, ଯାହା ମାନବ ମର୍ଯ୍ୟାଦା ଓ ସମାନତାର ପ୍ରତୀକ। ବାବା ସାହେବ ଆମ୍ବେଦକର ଭାରତୀୟ ସମ୍ବିଧାନର ମୁଖ୍ୟ ଶିଳ୍ପୀ ଭାବେ ପ୍ରତ୍ୟେକ ନାଗରିକଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିଛନ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ ମାଧ୍ୟମରେ ବାକ୍ ସ୍ବାଧୀନତା, ଚିନ୍ତା ପ୍ରକାଶର ଅଧିକାର, ସଙ୍ଗଠନ ଗଠନର ଅଧିକାର ଏବଂ ଅନୁଚ୍ଛେଦ ୨୧ ମାଧ୍ୟମରେ ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ପ୍ରଦାନ କରାଯାଇଛି। ଏହା ମନର ସ୍ବାଧୀନତାକୁ ସୁନିଶ୍ଚିତ କରେ, ଯାହା ବାବା ସାହେବଙ୍କ ଉକ୍ତିରେ ବର୍ଣ୍ଣିତ “ମନର ସ୍ବାଧୀନତା”ର ମୂଳ ଆଧାର। ସାମ୍ବିଧାନିକ ସ୍ବତନ୍ତ୍ରତା ନାଗରିକଙ୍କୁ ନିର୍ଭୟରେ ନିଜର ମତ ପ୍ରକାଶ କରିବା, ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ଏବଂ ସମାଜରେ ସମାନ ମର୍ଯ୍ୟାଦା ସହିତ ଜୀବନଯାପନ କରିବାର ଅଧିକାର ଦେଇଛି। ସେହିଭଳି ମହାନ ସମାଜ ସୁଧାରକ ତଥାଗତ ବୁଦ୍ଧଙ୍କ ଶିକ୍ଷା ମନର ସ୍ବାଧୀନତା ଉପରେ ଆଧାରିତ। ବୁଦ୍ଧଙ୍କ ଦର୍ଶନ ପ୍ରଷ୍ଟ ନିର୍ଦେଶ ଦେଇଥାଏ, ମନୁଷ୍ୟ ନିଜର ବୁଦ୍ଧି ଓ ବିବେକ ମାଧ୍ୟମରେ ସତ୍ୟକୁ ଅନୁସନ୍ଧାନ କରିବା ଉଚିତ୍। ବୁଦ୍ଧ କୌଣସି ଅନ୍ଧବିଶ୍ୱାସ ବା ଅନ୍ୟାୟକୁ ଗ୍ରହଣ କରିବାକୁ କେବେ ପରାମର୍ଶ ଦେଇ ନଥିଲେ। ସେ କହିଥିଲେ, “ନିଜେ ଦୀପକ ହୁଅ” (ଅତୋ ଦୀପ ଭବ୍), ଅର୍ଥାତ୍ ନିଜର ବିବେକ ଓ ଜ୍ଞାନକୁ ଅନୁସରଣ କର। ବାବା ସାହେବ ବୌଦ୍ଧ ଧର୍ମକୁ ଗ୍ରହଣ କରି ଏହା ପ୍ରଚାର କରିଥିଲେ ଯେ, ଧାର୍ମିକ ସ୍ବାଧୀନତା ହିଁ ମନର ମୁକ୍ତିର ପଥ। ସମ୍ବିଧାନରେ ଅନୁଚ୍ଛେଦ ୨୫ ମାଧ୍ୟମରେ ଧର୍ମ ପାଳନ ଓ ପ୍ରଚାରର ଅଧିକାର ଦିଆଯାଇଛି, ଯାହା ବୁଦ୍ଧଙ୍କ ଶିକ୍ଷା ସହ ସମ୍ପୂର୍ଣ୍ଣ ସମନ୍ୱିତ । ବାବା ସାହେବଙ୍କ ଦର୍ଶନରେ ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ବାଧୀନତା ମନର ସ୍ବାଧୀନତାର ଅବିଚ୍ଛେଦ୍ୟ ଅଂଶ। ସମାଜରେ ଜାତିଭେଦ, ଅସ୍ପୃଶ୍ୟତା ଓ ଅସମାନତା ମନରେ ଗୁଲାମୀର ମନୋଭାବ ସୃଷ୍ଟି କରେ। ବାବା ସାହେବ ସମ୍ବିଧାନରେ ଅନୁଚ୍ଛେଦ ୧୫ ଓ ୧୭ ମାଧ୍ୟମରେ ଅସ୍ପୃଶ୍ୟତା ଓ ବୈଷମ୍ୟକୁ ସମୂଳେ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି, ଯାହା ସାମାଜିକ ସ୍ବାଧୀନତାର ପଥ ପ୍ରଶସ୍ତ କରେ। ସେହିଭଳି ଆର୍ଥିକ ଅସମାନତା ମନୁଷ୍ୟର ମନରେ ଦାସତ୍ୱ ସୃଷ୍ଟି କରେ। ବାବା ସାହେବ ଶିକ୍ଷା, ନିଯୁକ୍ତି ଓ ସମାନ ସୁଯୋଗ ମାଧ୍ୟମରେ ଆର୍ଥିକ ସ୍ବାଧୀନତାକୁ ପ୍ରୋତ୍ସାହିତ କରିଥିଲେ। ସମ୍ବିଧାନରେ ଅନୁଚ୍ଛେଦ ୧୬ ସମସ୍ତଙ୍କ ପାଇଁ ସମାନ ନିଯୁକ୍ତି ସୁଯୋଗ ନିଶ୍ଚିତ କରେ । ରାଜନୈତିକ ସ୍ବାଧୀନତା ବିନା ମନର ମୁକ୍ତି ଅସମ୍ପୂର୍ଣ୍ଣ। ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ଭୋଟ ଦେବାର ଅଧିକାର (ଅନୁଚ୍ଛେଦ ୩୨୬) ଓ ନେତୃତ୍ୱ ଗ୍ରହଣ କରିବାର ସୁଯୋଗ ଦିଆଯାଇଛି, ଯାହା ବାବା ସାହେବଙ୍କ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ମନରେ ଆତ୍ମସମ୍ମାନ ଓ ସ୍ବାଧୀନତା ଜାଗ୍ରତ କରିବାର ଏକ ପ୍ରୟାସ । ତେବେ ବିବେକବାନ ଲୋକେ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ଗୁଲାମୀ ଓ ଆଜାଦୀ ମଧ୍ୟରେ ତାରତମ୍ୟ ବୁଝିପାରନ୍ତି। ବାବା ସାହେବଙ୍କ ସମ୍ବିଧାନ ଏହି ବିବେକକୁ ଜାଗ୍ରତ କରିବା ପାଇଁ ଏକ ପଥ ପ୍ରଦର୍ଶନ କରେ। ସେ ଶିକ୍ଷା, ସମାନତା ଓ ନ୍ୟାୟର ଆଧାରରେ ଏକ ସମାଜ ଗଠନ କରିବାକୁ ଚାହିଁଥିଲେ, ଯେଉଁଠାରେ ମନୁଷ୍ୟ ନିର୍ଭୟ, ନିରପେକ୍ଷ ଓ ନିଷ୍ପକ୍ଷ ଭାବେ ସତ୍ୟ ଓ ନ୍ୟାୟର ସମ୍ପାଦନା କରିପାରେ। ଏହା ଏକ ଶାନ୍ତିପୂର୍ଣ୍ଣ ଓ ଗୌରବମୟ ସମାଜର ସଂକେତ ଦେଇଥାଏ। ବାବା ସାହେବଙ୍କ ଦର୍ଶନ ଓ ସମ୍ବିଧାନ ଆମକୁ ଶିଖାଇଛି ଯେ, ସତ୍ୟ ଓ ନ୍ୟାୟ ହିଁ ସମାଜର ମୂଳଭିତ୍ତି। ଏକ ବିବେକବାନ ବ୍ୟକ୍ତି ଅନ୍ୟାୟ ଓ ଅସମାନତା ବିରୁଦ୍ଧରେ ଲଢ଼ି ସମାଜରେ ଶାନ୍ତି ଓ ସମୃଦ୍ଧି ଆଣିବା ପାଇଁ କାର୍ଯ୍ୟ କରେ। ଏହା କେବଳ ସାମ୍ବିଧାନିକ ଅଧିକାର ନୁହେଁ, ବରଂ ମାନବୀୟ ଦାୟିତ୍ୱ। ବୁଦ୍ଧଙ୍କ ଶିକ୍ଷା ଓ ବାବା ସାହେବଙ୍କ ସମ୍ବିଧାନ ଆମକୁ ଏକ ସୁନ୍ଦର, ଭାତୃତ୍ବ ସମ୍ପନ୍ନ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଇଛି। ଆମ ପାଇଁ ଏହା ହେଉଛି ଏକ ଗୋୖରବମୟ ଯାତ୍ରା,ଯେଉଁଠାରେ ମନର ସ୍ବାଧୀନତା ହିଁ ଆମର ପ୍ରକୃତ ଅସ୍ତିତ୍ୱର ପ୍ରମାଣ। ଏହାକୁ ଅନୁସରଣ କରି ଆମେ ଏକ ଶାନ୍ତିପୂର୍ଣ୍ଣ , ଭାତୃତ୍ବ ସମ୍ପନ୍ନ, ନିର୍ଭିକ, ନିରପେକ୍ଷ ଓ ଗୌରବମୟ ସମାଜ ଗଢ଼ିପାରିବା। ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ଏହିଭଳି ସମାଜ ନିର୍ମାଣ ପାଇଁ ନିଜର ବିବେକକୁ ନିଜେ ଜାଗୃତ କରିବାକୁ ପଡ଼ିବ।